ମେଘ
ମେଘ
ମେଘମାଳା ତୁମ କୁନ୍ତଳା ସାଜେ
ଆଖିଏ ସରାଗ ଧରି
ହାଉଳେ ହାଲୁକା ବାତାୟନ ଫାଂକେ
ଉପଭୋଗ ମନ ଭରି ।
ଦୁନ୍ଧୁଭି ବାଦ୍ୟ ବିଦ୍ୟୁତ ବିଦୁଷୀ
ମଣ୍ଡନ ମଣ୍ଡୁକ ସ୍ତୁତି,
ଧୂଆଁ ଧୂସରର ପଣତ ଉଡେଇ
ଧାଇଁ ଆସ ଯେବେ କତି ।
ଚୁମ୍ବକ ତୁମ ଅଧର ଚୁମ୍ବନ
ଅଙ୍କୁରିତ ମନ ପ୍ରାଣ
କମ୍ପନ ଖେଳେ ଦେହରୁ ଦେହୀକୁ
ବାସନା ବିଭୋର ଘ୍ରାଣ ।
ମହଲାର ଗାଇ ମହାର୍ଘ ମେଘଗୋ
ପ୍ରଣୟ ପଖରେ ରଙ୍ଗ
ପଂକିଳ ତଵ ପଙ୍କେଶୟ ପ୍ରୀତି
ପ୍ରକୃତି ପ୍ରେମିକ ସଙ୍ଗ ।
ଆକାଶ ବିହଙ୍ଗ ଭାସମାନ ମେଘ
ଶୋଭାମୟୀ ମଉସୁମୀ
ତୁମ ପରସରେ ସରବେ ସରସ
ହରସ ଭୂମାରୁଭୂମି ।

