STORYMIRROR

Sukadev Mahanta

Inspirational

3  

Sukadev Mahanta

Inspirational

ମଧୁର ବିନୟ ବଚନ କହି ତୋଷିବ ଜନମନ

ମଧୁର ବିନୟ ବଚନ କହି ତୋଷିବ ଜନମନ

1 min
354

ଜିହ୍ୱାଗ୍ର  ତୁମର   ମାତା ଲକ୍ଷ୍ମୀଙ୍କର

     ବାସସ୍ଥାନ ଅଟେ ଜାଣ

ଜିଭ ଯେବେ କହେ  ମଧୁର ବଚନ

    ତୋଷେ ସର୍ବ ଜନ ମନ||


ବେପାର ବଣିଜ   ବଢଇ ବହୁତ

     ମିଠା ବଚନ ପ୍ରଭାବେ

ଗ୍ରାହକ  ବଢନ୍ତି    ମିଠା କଥାବଳେ

     ଲାଭ ବଢେ ଜାଣ ସର୍ବେ ||


ଗ୍ରାହକ ଈଶ୍ୱର     ବାଣିଜ୍ୟ ବୃକ୍ଷର

      ଗୋଟିଏ ଗୋଟିଏ ଡାଳ

ମଧୁର ବଚନ       ହୋଇ ଖତ ସାର

    ବୃଦ୍ଧିକରେ ଫୁଲ ଫଳ ||


ଜିଭର ଅଗରେ      ବନ୍ଧୁ ବାନ୍ଧବଙ୍କ

     ବାସସ୍ଥାନ  ଅଟେ ଜାଣ

ମଧୁର ବଚନେ     ହୋଇଣ ସନ୍ତୁଷ୍ଟ

      ମିତ୍ର ସଂଖ୍ୟା ଶତଗୁଣ ||


ମିଠା କଥା ବଳେ    ମିତ୍ରତା ବଢିଲେ

      ବଢିବ ତୁମର ମାନ

ମିଠା କଥା ବଳେ    ପରିବାର ମଧ୍ୟେ

      ସୁଖ ଶାନ୍ତି ଚିର ଦିନ ||


କହିବନି  କେବେ     କର୍କଶ ବଚନ

       ମନରେ ଦେବସେ ଦୁଃଖ

ଜନ ଜନ ମଧ୍ୟେ      ଦୂରତା ବଢିଣ 

     ଦେଇପାରେ ବହୁ ଦୁଃଖ ||


କଠୋର ବଚନ     ଶତୃ ସୃଷ୍ଟି କରି

     ଡାକିଆଣଇ ବିପଦ

ହୋଇପାରେ ତାହା    ମୃତ୍ୟୁର କାରଣ

       କରିଦେଇ କ୍ରୋଧେ ଅନ୍ଧ ||


ଜିହ୍ୱାଗ୍ରୁ ନିଃସୃତ     ଅଶାଳୀନ କଥା

      କରିପାରେ ମାନ ହାନୀ

ବନ୍ଦୀ ହୋଇ ଜେଲ    ଦଣ୍ଡ ଭୋଗି ପାର

     ହୋଇପାର  ହୀନିମାନୀ ||


ମଧୁର   ବଚନ     ତୋଷେ ସର୍ବ ପ୍ରାଣ

      ପରକୁ ଆପଣା କରେ

ତେଣୁ ବଚନରେ     ଦରିଦ୍ରତା କେବେ

      ଦେଖାଅନି  ଜୀବନରେ ||


କହିବ ମଧୁର      ବିନୟ   ବଚନ   

      ସବୁବେଳେ ଜୀବନରେ

ସଂସାର   ତୁମର    ହେବ ମଧୁମୟ   

        ସୁଖମୟ ପୃଥିବୀରେ ||


    


Rate this content
Log in

Similar oriya poem from Inspirational