ମଧୁମୟ ହେଉ
ମଧୁମୟ ହେଉ
ମଧୁ ମୟ ହେଉ ସମଗ୍ର ଜଗତ
ଶାନ୍ତି ମୈତ୍ରୀ ମମତାରେ
ସବୁରି ହୃଦୟେ ଶାନ୍ତି ତ ବିରାଜୁ
ସନ୍ଥ ଭୀମ ଦର୍ଶନରେ।
ଦୂର ହେଉ ସଦା ସମାଜ ମଧ୍ୟରୁ
ମଣିଷ ଭିତରେ ଭେଦ
ସକଳ ପ୍ରକାର ବିସଂଗତି ଯାହା
ଅଶାନ୍ତିର ଯେତେ ବାଦ।
ଭକତିର ମୂଳ ଉତ୍ସଟି ହେଉଛି
ସେବା ଜ୍ଞାନେ ଦେବା ସେବା
ପଶୁ ପକ୍ଷୀ ବୃକ୍ଷ କୀଟ ଓ ପତଙ୍ଗ
ଏଇ ଭାବନାରେ ନେବା।
ଏହି ସେବା ପରା ମହିମା ଧର୍ମର
କଲ୍ୟାଣ ବାର୍ତ୍ତା ପରଶେ
ସମଷ୍ଟି ମଙ୍ଗଳେ ବ୍ୟଷ୍ଟିର ମଙ୍ଗଳ
ସନ୍ଥ କବି ଭୀମ ଭାଷେ।
ଜଗତରେ ଯେତେ ପ୍ରାଣୀ ରହିଛନ୍ତି
ପରମ ପିତା ସନ୍ତାନ
କରମ କରିବା ଜୀବନ ଜିଇଁବା
ଏଥିରେ ନିବେଶି ମନ।
