ମଦ ମାହାତ୍ମ୍ୟ
ମଦ ମାହାତ୍ମ୍ୟ
କହିଲେ ଲାଗିବ ଅଡୁଆ
ଆମ ଚଳଣିରେ ଯେତେ ଅଳିଆ
ନାଲିପାଣି ଦୋଷ ଭରେ ରାଜକୋଷ
ଆଦର ସବୁଠି ବଢିଆ
ବାକି ସାକି ନାହିଁ ମୁଲ ଚାଲ ନାହିଁ
ଠନ ଠନ ମିଳେ ବିଡିଆ
ଆମ, ସରକାର ଭାରି ବଢିଆ
ପ୍ରତି ପଂଚାୟତେ ଖୋଲିବେ ଭାଟିଟେ
ସରବେ ହୋଇବେ ମଦୁଆ ।
ଘରେ ଘରେ ମଦ ପକାଇ ତା ଫାନ୍ଦ
ବାନ୍ଧିଲାଣି ଅଧା ଭେଣ୍ଡିଆ
କେତେ ଯେ ଜୀବନ ନେଇଯାଏ ଯମ
କା'ର ହାତ ଗୋଡ଼ ଖଣ୍ଡିଆ
ରାସ୍ତା କଡରେ ଗଡଇ ଭେଣ୍ଡିଆ
କାନ୍ଦ ବୋବାଳିରେ ତା ଘର ଉଛୁଳେ
ହରାଇ ତ ରୋଜଗାରିଆ ।
ଉଛନ ହୁଅନ୍ତୁ ଯେତେ ପରିବାର
ଉଛନ ହେଉ ଏ ଦୁନିଆଁ
ମଦ ପିଇ ଲୋକେ ରୋଗ ଭୋଗୁ ଯେତେ
ରୋଜଗାର ତାଙ୍କ ବଢିଆ
ନିଜେ ବଂଚିଥିଲେ ବୋପାର ନାଆଁ
ମିଛ ସତ କହି ମନ ନେଲେ ମୋହି
ପଛରେ ନ ଥାଏ ଅଳିଆ ।
ଦର ବଢିଗଲେ ହୁଏ ଆନ୍ଦୋଳନ
ଠପ ହୋଇଯାଏ ଦୁନିଆଁ
ମଦ ଯେତେ ବଢୁ ଟଙ୍କା ଯେତେ ସରୁ
ହୁଅନ୍ତିନି କେହି ଛାନିଆଁ
ଅପାଠୁଆ ବୁଦ୍ଧି ପାଠୁଆ
ମଦେ ଟଙ୍କା ଯାଏ ଛୁଆ ଭୋକେ ରୁହେ
ଧନ୍ୟ ତୁମେ ବାବୁ ପାଠୁଆ ।
