STORYMIRROR

Panchanan Jena

Abstract

2  

Panchanan Jena

Abstract

ମାଟିମନସ୍କ

ମାଟିମନସ୍କ

1 min
158

ମୁଁ ଆଗରୁ ବୁଝିନଥିଲି

ପ୍ରାୟ ବୁଝିପାରୁନଥିଲି

କାହିଁକି ନା ମୋ ଭିତରେ

କାହିଁକି ନା ମୋ ହୃଦୟ ଶବ୍ଦକୋଷରେ

ଏତେ ବେଶୀ ଶବ୍ଦର ମଡକ

ଏତେ କମ ଶବ୍ଦର ଜମକ

ସକାଳୁ ସକାଳୁ ଘାସର ଗାଲିଚା ଉପରେ

ପଡୁଥିବା ଝୋଟିପରି କାକର ବିନ୍ଦୁପରି

ମୁଁ କାହିଁକି ସବୁବେଳେ

ମୁଁ କାହିଁକି ସଞ୍ଜ ସକାଳେ

ଚିକ ଚିକ ପୁଣି ଛଳ ଛଳ

ରଙ୍ଗ ବେରଙ୍ଗ ପୁଣି ଢଳ ଢଳ |

ଏବେ ପଶ୍ଚିମ ଜୀବନରେ ପାଦ ଥାପିଲିଣି

ଏବେ ମୁଁ ବୁଝୁଛି ସବୁ ବୁଝିପାରୁଛି

ମୋ ଭିତରେ ମୋ ଅନ୍ତକରଣରେ

ଅବିରତ ଅନବରତ ଆବେଗ ଓ ଅନୁରାଗର

କଳକଳନାଦିନୀ ଝରଣା ବହୁଛି |

ମୋ' ଆଖିରେ ଆଖିରେ ନୀଳାମ୍ବୁ ଆକାଶ

କଳା କାଳିମାରେ ଭି ପୁଷ୍ପିତ ଶୋଭିତ ବେଷ୍ଟିତ |

ମୋ' ଛାତିରେ ମୋ' ରକ୍ତରେ

ଲେଲିହାନ ଅଗ୍ନିଶିଖା

ମୋ' ନିଶ୍ବାଶରେ ଓ ପ୍ରଶ୍ଵାସରେ

ଝଡର ଇସ୍ତାହାର

ତୁଫାନର ସମାହାର |

ଜେଜେ କହୁଥିଲେ ଏ ଦେହ

ମାଟି ଘାଟ ମାଟିର ପିଣ୍ଡୁଳା

ମାଟିରେ ମିଶିବ ଦିନେ ରକ୍ତ ମାଂସର ପିତୁଳା |

ଆକାଶ କହିଲେ ମୁଁ ବୁଝୁଥିଲି

ମୋ ମଥା ଉପରେ ନୀଳ ଚାନ୍ଦୁଆ ପରି

ଟଣା ହୋଇଥିବା ଶୂନ୍ୟତା

ଏବେ କିନ୍ତୁ ବୁଝୁଛି ଆକାଶ କହିଲେ

ମୋ' ଭିତରେ ମୋ' ଆତ୍ମାରେ

ତାରାଭରା ଅଗଣା

ଆଉ ଆଲୋକର ରୋଷଣା |

ପିଲାଦିନେ ଆକାଶକୁ ହାତ ବଢେଇ

ବୋଉକୁ ମାଗୁଥିଲି ଚାନ୍ଦ ମାଗୁଥିଲି ଜହ୍ନ

ପରେ ଜାଣିଲି ଆକାଶକୁ ଧରି ହୁଏନି ହାତ ମୁଠାରେ

ଚାନ୍ଦ ଏକ ସ୍ଵ-ଆଲୋକ ବିହୀନ ଉପଗ୍ରହ ସାଟେଲାଇଟ |

ମାତ୍ର ମାଟିକୁ ଛୁଇଁହୁଏ ମୁଠାରେ ଧରିହୁଏ

ତେଣୁ ମାଟି ମୋର ବେଶୀ ଆପଣାର

ମୁଁ ମାଟିର ମଣିଷ, ମୁଁ ମାଟିମନସ୍କ

ମାଟିରେ ମିଶିବା ସାର

ମାଟିରୁ ଆରମ୍ଭ ମାଟିରେ ଲୀନ ହେବା ହିଁ

ସତ୍ୟ ଶିବ ସୁନ୍ଦର |

କାରଣ ମୁଁ ଜାଣିସାରିଛି

ମାଟି ଘଟ ଏ ଗାତ୍ର ଏ ଶରୀର

ମାଟିରେ ଲୀନ ହେବା ହିଁ ନଶ୍ଵର |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract