ମାଟିଘର
ମାଟିଘର
ଏଇ ମାଟିଘର ନଡ଼ାର ଛପର
ଉଛୁନା ପଡିଛି ନଇଁ
ଟିକି ଆକାଶଟି ଓହ୍ଲେଇ ଆସିଛି
ସରାଗେ ଛୁଇଁବ ଭୂଇଁ ।
ଝାଟି ମାଟି କାନ୍ଥ ଉଭା ଅବିଶ୍ରାନ୍ତ
କାନ୍ଧେଇ ଛପର ଛାତ
ବାଉଁଶ ଫଡାରେ ମାଟି ଲେସା ଭାଡ଼ି
ମୋ ଘର ଅମାର ବିତ୍ତ ।
କାନ୍ଥ ଚୁନ ଖସି ହୋଇଯାଏ ଲେସି
ଘଷି ଦେଲେ ଥରେ ପିଠି
ସେ କାନ୍ଥ ବକ୍ଷରେ ଆଉଜି ଶାନ୍ତିରେ
କ୍ଲାନ୍ତି,କ୍ଳିଷ୍ଟ ଯାଏ ମେଣ୍ଟି ।
ଗୋମୟରେ ଲିପା ଆୟତ କୋଠରୀ
ମମତାର ଗନ୍ତାଘର
ଗେରୁ ଧାର କଟା ଝୋଟି ଚିତା କୁଟା
ଦିଶଇ କେଡେ ସୁନ୍ଦର ।
ବାପା,ବୋଉ,ଜେଜେ ଦାଦା,ଖୁଡି ସାଥେ
ଭାଇ,ଭଉଣୀଙ୍କ ମେଳ
ସମସ୍ତେ ଏକାଠି ଆନନ
୍ଦେ ଚଳନ୍ତି
ନ ଆଚରି ମନେ ଖଳ ।
ଏ ଘରେ ସଭିଏଁ ଏକତାରେ ବନ୍ଧା
ଏକକ ବିଚାର ବୋଧ
ସ୍ନେହ, ସନମାନ, ସଂସ୍କାର ଚରିତ୍ର
ଜୀବନର ମୂଲ୍ୟବୋଧ ।
ଯୌଥ ପରିବାର ଯୁଝେ ବାରିବାର
ବନ୍ଧା କାଠିବିଡ଼ା ସମ
ଗୋଠୁ ଗଲେ ଖସି ଏକ ଧେନୁ,ରାଶି
ଅବାଟେ ହୁଅଇ ଭ୍ରମ ।
ବତୁରା ମାଟିର ଭିଦୁର ବିଶ୍ୱାସ
ମମତାର କଳ୍ପତରୁ
ଏନ୍ତୁଡ଼ିର ବାସ୍ନା କୋଣେକୋଣେ ମିଶି
ମନ୍ଦିରଠୁ ମହା ଗରୁ ।
ମାଟିର ମଣିଷ ମାଟିର ପରସ
ମାଟିର ଅତୁଟ ଭାବ
ଏ ଜୀବନ ଛାର ମୁଠାଏ ମାଟିର
ଶ୍ମଶାନରେ ମିଶି ଯିବ ।।