STORYMIRROR

Sarojini Jena

Inspirational

3  

Sarojini Jena

Inspirational

ମାତୃତ୍ୱ

ମାତୃତ୍ୱ

1 min
198

ଗୁମୁରି ଉଠୁଛି ମାତୃତ୍ୱଟା ଏଠି

     କୋଳେ ଶିଶୁ ଧରି ମା ଚାଲିଛି 

     ଜାଣେନା ଠିକଣା କେଉଁଠି ହଜିଛି

     ଅଳିଆ ଗଦାରେ ସେ ଖୋଜୁଛି........


ନିରୀହ ଆଖିର ଭାଷା ବୁଝିବାକୁ

     ସାଥୀତ୍ୱ ତା ଠାରୁ ଦୂରେଇ ଯାଇଛି 

     ହୋଇ ନିରିମାଖି ଦୁଃଖ ଚାପି ରଖି 

     ମମତା ସ୍ନେହକୁ ଜାବୁଡି ବସିଛି......


ପଚାରୁଛି ଆଜି ଭାଗ୍ୟକୁ ତାହାର

     କେଉଁ ଦଣ୍ଡ ଆଜି ସେ ପାଉଛି 

      ଅବୁଝା ମନଟା ଦୋହଲି ଯାଉଛି

      ଭବିଷ୍ୟ ପାଇଁ ତା' ପ୍ରାଣ କାନ୍ଦୁଛି.......


ଉପାସିଆ ମୁଖ ଭୋକିଲା ପେଟଟା

      କେତେ ରାତି କେତେଦିନ କାଟିଛି 

      ଆଲୁରା କେଶକୁ କୋରଡ଼ିଆ ଆଖି

      ପରିଚୟ ଆଜି ଦାଣ୍ଡେ ମାଗୁଛି.......


ସ୍ୱାସ୍ଥ୍ୟ ଶିକ୍ଷା ତାର ସ୍ବପ୍ନ ହୋଇଛି

      ଗୃହ ଶୂନ୍ୟ ଯେବେ ସେ ହୋଇଛି 

       ସୁଖ ସଂସାରଟେ ଗଢିଥିଲା ଦିନେ

       ସେ ସଂସାରଟା ତାର ଉଜୁଡି ଯାଇଛି......


ପରିଚୟ ନାହିଁ ସମାଜ ଆଗରେ

       ଲଙ୍ଗଳା ଫୁଙ୍ଗୁଳା ସେ ହୋଇଛି 

       ମାଆ ତା ଧରିତ୍ରୀ ପିତା ଯେ ଆକାଶ

        ସେ ଆକାଶ ଆଜି ଛିଡି ଯାଇଛି........


ଶୋଷ ଟିକେ ମେଣ୍ଟାଇବା ପାଇଁ

        କେତେ ଗଳିରାସ୍ତା ସେ ବୁଲିଛି 

        ଶିଶୁ ମୁଖେ ହସ ଭରି ଦେବ ବୋଲି

        ପଣତ କାନିଟା ଗୁଡ଼ାଇ ରଖିଛି.......


ନ ଆସୁ ବିପଦ ଏଇ ଭାବନାରେ

       ତା ମାତୃତ୍ୱଟା ସଦା ଚେଇଁ ରହିଛି 

       ନ ଥାଉ ଆକାଶ ନଥାଉ ଖାଦ୍ୟ ବସ୍ତ୍ରବାସ

        ମା'ର ମାତୃତ୍ୱ ସଦା ଜୀଇଁଛି..........ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational