STORYMIRROR

DHARITRI SAHU

Inspirational

3  

DHARITRI SAHU

Inspirational

ମାନ ରଖି ହୁଅ ମାନୀ"

ମାନ ରଖି ହୁଅ ମାନୀ"

1 min
209


ହେ ମହାବାହୁ" ଭୁଜ ମେଲାଇଣ 

        ବସିଅଛ ସିଂହାସନେ,  

ଦାନୀପଣେ ତୁମେ ବାନା ଉଡାଉଛ

       ଦୁଃଖନାହିଁ ତୁମ ମନେ।


କାହାକୁ ଦେଇଛ ଅସୁମାରୀ ଧନ

      କିଏ ବା ଦାଣ୍ଡେ ଭିକାରୀ,

ନ ମାଗିଣ କାହା ଥାଳ ଭରିଯାଏ

      ମାଗିଲେ ପଡ଼ଇ ଭାରୀ।


ବିନା ପରିଶ୍ରମେ ମିଳେ ଯେ ପଦାର୍ଥ

       ମୂଲ୍ୟବାନ-ମୂଲ୍ୟହୀନ,

ମାଗିବା ଆଗରୁ ଯାଚିଣ ଦେବାରେ

       ଶାମୁକା ପାଲଟେ ରତ୍ନ।


ତୁମ ଲୀଳା ଖେଳା ବୁଝି ମୁଁ ପାରେନି

       ମଣିଷ ସାଥିରେ ଖେଳ,

ଡାକି ଡାକି କା'ର ତଣ୍ଟି ଶୁଖିଯାଏ

       କାହାକୁ ନ ଥାଏ ବେଳ।


ତୁମ ଆଶୀର୍ବାଦେ ମଣିଷ ଜନ୍ମଇ

       ମା" କହେ ପୁଅ ମୋର,

ବୟସ ଉଦ୍ଦାମେ ଧରା ସରା ମଣେ

       ଭିନ୍ନା ଭିନ୍ନ ନିଜ ପର।


ସଦବୁଦ୍ଧି ଠାରୁ ଐଶ୍ୱର୍ଯ୍ୟ ନାହିଁ ହେ

        ଦାନ ଦିଅ ଏହି ଧନ,

ମଙ୍ଗଳ ଗୀତିର ସାତ ସୁରେ ଭରୁ

        ସବୁରି ହୃଦୟ ବନ।


ହେ ମଙ୍ଗଳ ମୟ ପରାତ୍ପର ପ୍ରଭୁ

        ପରଂବ୍ରହ୍ମ ନିରଞ୍ଜନ,

ଅପଲକ ନେତ୍ରେ ପଡୁନାହିଁ କି ବା

        ମଣିଷ ର ଅଧୋ କର୍ମ।


ଚୁଲିକେ ଭାଙ୍ଗୁଛି ଭୋଗଫୋପାଡୁଛି

       ରତ୍ନଭଣ୍ଡାର କେ ଲୁଟେ,

ରୀତି ନୀତି କାନ୍ତି ବିଭ୍ରାଟ ହୁଅଇ

       ହତ୍ୟା ହୁଏ ବଡଦାଣ୍ଡେ।


ପତିତ ପାବନ ଶହେ କୋଶ ଦୂରୁ

       ସବୁତ ଦେଖଇ ନିତି,

ଆଉ କାହା ସାଖି ଲୋଡା କିସ ପାଇଁ

       ପାରୁନାହଁ କିମ୍ପା ଦଣ୍ଡି।


କରୁଣା ବାରୀଧି ଆହେ କୃପା ସିନ୍ଧୁ

       ମଣିଷତ୍ବ ହଜିଲାଣି,

ଭରି ଦିଅ ଥରେ ମାନବ ପଣିଆ

        ମଣିଷ ହୃଦୟେ ପୁଣି।


ମହା ଦାନ ହେବ ଆହେ ମହାଦାନୀ

        ବହୁ ପ୍ରେମ ମନ୍ଦାକିନୀ,

କୋଟି ଓଡିଆଙ୍କ ଆଶା ଓ ଭରସା

       ମାନ ରଖି ହୁଅ ମାନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational