ମାଆ
ମାଆ
ସରଗ ସମ ପରା ମୋ ମାଆ କୋଳ,
ତାହାର ସ୍ନେହ ଅଟଇ ତ ଅମୂଲ ।
କେତେ ମିଠା କଥା ଅଟଇ ତାହାର,
ମୋ ମାଆଟି ମୋହର କେଡେ ନିଜର |୧|
ମୋ ମାଆ ଯେବେ ଦୂରରେ ରହିଥାଇ,
ସକଳ କଥା ମୋତେ ପିତା ଲାଗଇ ।
ତା' ଫେରିବା ବାଟକୁ ମୁଁ ରହେ ଚାହିଁ,
ସର ଲବଣି ବି ମୋତେ ନ ରୁଚଇ |୨|
ରୋଗେ ମୁଁ ପଡିଲେ ତା' ଆଖିରେ ଲୁହ,
କୋଳେ ଧରିଥାଏ ମନେ ଭରି କୋହ ।
କେତେ ପୂଜା ମାନସିକ କରେ ସେହି,
ମୋ ଶୁଭ ମନାସଇ ଉପାସ ରହି |୩|
ସଭିଙ୍କ ଓଠରେ ସେ ହସ ଫୁଟାଏ,
ସବୁ ଦୁଃଖକୁ ଛାତିରେ ଚାପିଥାଏ।
ତା' ଆଙ୍ଗୁଳି ଧରି ବାଟ ମୁଁ ଚାଲିଲି,
ସତମିଛର ଫରକ ମୁଁ ଶିଖିଲି |୪|
ଦେବୀ ସିଏ ପରା ମମତା ମନ୍ଦିରେ,
କଣ୍ଟା ଫୁଲ ହୁଏ ତା'ର ଆଶିଷରେ ।
ଦୀପ ସଳିତା ପରି ସେ ଜଳୁଥାଏ,
ମୋ ଜୀବନେ ଖୁସିରେ ଆଲୋକ ଦିଏ |୫|