STORYMIRROR

DILIP KUMAR SAHOO

Classics

2  

DILIP KUMAR SAHOO

Classics

ମାଆ ତାରିଣୀ

ମାଆ ତାରିଣୀ

2 mins
89


ତାରିଣୀ ତାରିଣୀ ମାଗୋ ଧରା ଧାରିଣୀ

ତାରିଣୀ ତାରିଣୀ ମାଗୋ ଦୁଃଖ ହାରିଣୀ

ତାରିଣୀ ତାରିଣୀ ମାଗୋ କ୍ଷମା କାରିଣୀ

ତାରିଣୀ ତାରିଣୀ ମାଗୋ ଦିଗ ବାରିଣୀ

ତାରିଣୀ ତାରିଣୀ ମାଗୋ ଘଟଗାଁ ରାଣୀ

ତାରିଣୀ ତାରିଣୀ ମାଗୋ ଦୂରିତ ନାସିନୀ

ତାରିଣୀ ତାରିଣୀ ମାଗୋ ମନ୍ଦାର ମାଳିନୀ

ତାରିଣୀ ତାରିଣୀ ମାଗୋ ଶକ୍ତି ରୂପିଣୀ


ଦୁଃଖୀଜନ ମନ କଥା ପାରୁଲୋ ବୁଝି

ଦୁଃଖ ଦୂର କରୁ ତୋତେ ହୋଇଲେ ଭଜି ।

ଯୁଗେଯୁଗେ ପତିତଙ୍କ ହୋଇଛୁ ସାହା

ଦୁରିତ ନାସନ ପାଇଁ ଦେଖାଉ ରାହା ।

ଯେଉଁଠି ଡାକୁଯେ ତୋତେ ଯେମିତି ଡାକୁ

ଡାକ ଶୁଣି ଭକ୍ତ ଓଠେ ହସ ତୁ ମାଖୁ ।

ସେଥିପାଇଁ ତୋର ନାମ ଜଗତେ କ୍ଷାତ

ବିପଦରୁ ତାରୁ ମାଆ ନାସୁ ଦୁରିତ ।

ନଡ଼ିଆ ତୋ ଭାରି ପ୍ରିୟ ନାଲି ସିନ୍ଦୂର

ଶୋଭାପାଏ ତୋ ଗଳାରେ ନାଲି ମନ୍ଦାର ।

ଶାଳବଣେ ବିରାଜିତା ଶିଳା ରୂପିଣୀ 

ତାରିଣୀ ତାରିଣୀ ମାଗୋ ଦୁଃଖ ହାରିଣୀ ....


ପ୍ରଭୁ ରାମଚନ୍ଦ୍ର ତୋତେ କରିଲେ ପୂଜା

ଲଙ୍କା ରେ ଉଡିଲା ତାଙ୍କ ବିଜୟ ଧ୍ବଜା ।

ଦୟାକଲୁ ଦୟାମୟୀ ଦେଲୁ ଆଶିଷ

ଅଚିରେ ରାବଣ ବ°ଶ ହୋଇଲା ନାସ ।

ଧରାସାୟୀ ହୋଇଗଲେ ଅଷୁର ସୈନ୍ୟ

 ରାବଣକୁ ପ୍ରଭୁ ରାମ କଲେ ନିଧନ ।

ଅଶୋକ ବନରେ ସୀତା ଥିଲେ ବନ୍ଦିନୀ

ତୋ ଦୟାରୁ ମୁକ୍ତ ହେଲେ ଭୂମି ନନ୍ଦିନୀ ।

ତାପରେ ତୁ କାଞ୍ଚି ରାଜ୍ୟେ ଉଭା ହୋଇଲୁ

ଅଶରଣ ଜନେ ମାଆ ଶରଣ ଦେଲୁ ।

ଭକତ ଭାବରେ ବନ୍ଧା ମାଆ ଭବାନୀ

ତାରିଣୀ ତାରିଣୀ ମାଗୋ ଦୁଃଖ ହାରିଣୀ ....


ଶ୍ରୀକ୍ଷେତ୍ରରେ ହେଉଥିଲା ରଥ ଯାତରା

ଗଜପତି କରୁଥିଲେ ଛେରା ପହଁରା ।

ଛେରା ପହଁରା କୁ ଦେଖି କାଞ୍ଚି ର ରାଜା

କହିଲେ 'କି ନୀଚ୍ଚ କର୍ମ କରେ ଏ ରାଜା '!

ଶୁଣି ଏହି ବାଣୀ ଦେବ ପୁରୁଷୋତ୍ତମ

ରାଗେ ହେଲେ ତମତମ କଥା ବିଷମ ।

ତାଙ୍କୁ ନୁହେଁ ପ୍ରଭୁ ଙ୍କୁତ ଏ ଅପମାନ

 ପ୍ରତିଶୋଧ ପାଇଁ କଲେ କାଞ୍ଚି ଆକ୍ରମଣ ।

ପ୍ରଥମ ରଣରେ ରାଜା ହାରିତ ଗଲେ

ହାରିଯାଇ ପ୍ରଭୁଙ୍କର ଶରଣ ଗଲେ ।

ମାନ ରଖିବାକୁ ରାଜା କଲେ ଦଇନୀ

ତାରିଣୀ ତାରିଣୀ ମାଗୋ ଦୁଃଖ ହାରିଣୀ ....


ରାଜା,ମହାପ୍ରଭୁଙ୍କ ର ନିର୍ଦ୍ଦେଶ ନେଲେ

ଗୋବିନ୍ଦ ଭଞ୍ଜଙ୍କୁ ସେନାପତି କରିଲେ ।

କେନ୍ଦୁଝର ଯୁବରାଜ ଗୋବିନ୍ଦ ସେତ

ଭାରି ପରାକ୍ରମୀ ବୀର ମାତୃ ଭକତ ।

ସୈନ୍ୟ ଧରି ପହଞ୍ଚିଲେ କାଞ୍ଚି ରେ ଯାଇ

ମାଆ ତାରିଣୀ ଙ୍କୁ ତାଙ୍କ ମନରେ ଧ୍ୟାଇ ।

ମାଆ ଙ୍କ ମନ୍ଦିରରେ ବୀର ବସିଲେ ଧ୍ୟାନେ

ମାଆ ଦେଲେ ବର ତାଙ୍କୁ ଆସି ସପନେ ।

ତାପରେ ତ ଘନଘୋଟା ହେଲା ଲଢେଇ

ହାରିଗଲେ କାଞ୍ଚି ରାଜା ଗଲା ବଡେଇ ।

ଗୋବିନ୍ଦ ଙ୍କୁ ସାହା ହେଲେ ଜଗତ୍ଜନନୀ

ତାରିଣୀ ତାରିଣୀ ମାଗୋ ଦୁଃଖ ହାରିଣୀ ....


ଗଜପତି ରାଜା କାଞ୍ଚି ବିଜୟ କରି

ଉତ୍କଳ କୁ ଯେବେ ସେତ ଆସିଲେ ଫେରି,

ଭାବ ଭକତିରେ ରାଜା ଅର୍ଚ୍ଚନା କରି

ମାଆ ଙ୍କୁ ସାଥିରେ ନେଇ ଆସିଲେ ପୁରୀ ।

ଏଣେ କେନ୍ଦୁଝରେ ଅଘଟଣ ଘଟିଲା

ଅକାଳରେ ରାଜାଙ୍କର ମୃତ୍ୟୁ ହୋଇଲା ।

ଯୁବରାଜ ଗୋବିନ୍ଦ ତ ହୋଇଲେ ରାଜା

ଚଉଦିଗେ ଉଡାଇଲେ ମାଆ ଙ୍କ ଧ୍ବଜା ।

ମାଆ ଙ୍କୁ ଆଣିବା ପାଇଁ କେନ୍ଦୁଝର କୁ

ମନକଥା ଜଣାଇଲେ ଗଜପତିଙ୍କୁ ।

ଭାବ ଭକତିର ନଈ ବହେ ଉଜାଣି

ତାରିଣୀ ତାରିଣୀ ମାଗୋ ଦୁଃଖ ହାରିଣୀ ....


 ପୁରୁଷୋତ୍ତମ ଦେବ ତ ହସି କହିଲେ

 କେ ରୋକି ପାରିବ ମାଆ ନିଜେ ଚାହିଁଲେ!

ମାଆ ଙ୍କ ପାଖେ ଗୋବିନ୍ଦ ଶରଣ ଗଲେ

କେନ୍ଦୁଝର ଯିବାପାଇଁ ମିନତି କଲେ ।

ସନ୍ତାନ ର ମନ କଥା ମାଆ ବୁଝିଲେ

ସାଥେ ଯିବା ପାଇଁ ମାଆ ସମ୍ମତି ଦେଲେ ।

ଆଗରେ ଗୋବିନ୍ଦ ପଛ ମାଆ ଚଳିଲେ

ପଛେ ନଚାହିଁ ପାଇଁ ସେତ ସର୍ତ୍ତ ରଖିଲେ ।

ଆସୁଥାନ୍ତି ମାଆ କରି ଝୁମୁକା ଶବ୍ଦ

ଘୋର ଶାଳ ବଣେ ସବୁ ହେଲା ନିଶବ୍ଦ ।

ଗାଉଥିଲା ଗୀତ ଦୂରେ ବଇତରଣୀ

ତାରିଣୀ ତାରିଣୀ ମାଗୋ ଦୁଃଖ ହାରିଣୀ ....


ନଶୁଭିଲା ଶବ୍ଦ ଯେବେ ସର୍ତ୍ତକୁ ଭୁଲି

ଗୋବିନ୍ଦ ଭଞ୍ଜ ଚାହିଁଲେ ପଛକୁ ବୁଲି ।

ଶାଳ ବଣେ ମାଆ ହେଲେ ଶିଳା ମୂରତୀ

ଗୋବିନ୍ଦ କାନ୍ଦି ଗଡିଲେ କରି ବିନତି ।

ଶୂନ୍ୟ ବାଣୀ ହେଲା ତହିଁ ଗୋବିନ୍ଦ ଶୁଣ

ରହିବେ ସେଇଠି ମାଆ ଥାପ ଆସ୍ଥାନ ।

ସେହିଦିନୁ ଶାଳବଣେ କରୁଣାମୟୀ

ପାଉଛନ୍ତି ପୂଜା ଭକ୍ତେ ସିନେହ ଦେଇ ।

ଅସୀମ ମହାମାମୟୀ ଅଟନ୍ତି ମାଆ

ବେଳ ଅବେଳରେ ସିଏ ହୁଅନ୍ତି ସାହା

ଆଦିମାତା ଆଦିଶକ୍ତି ବିଶ୍ବ ଜନନୀ

ତାରିଣୀ ତାରିଣୀ ମାଗୋ ଦୁଃଖ ହାରିଣୀ ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics