ମାଆ ପରି ହେବ କିଏ
ମାଆ ପରି ହେବ କିଏ
ମାଆ ପରି ହେବ କିଏ
ପ୍ରଥମ ଗୁରୁ ସେ ପାଖରେ ବସାଇ
କଥା କୁହାଇଛି ଯିଏ
ହାତ ଧରି ସିଏ ଚାଲି ଶିଖାଇଛି
କାନ୍ଦୁଥିଲେ ସ୍ନେହେ କୋଳକୁ ନେଇଛି
ମମତାମୟୀ ସେ ଅଭିମାନ କଲେ
ଯାହା ମାଗିବା ସେ ଦିଏ
ମାଆ ପରି ହେବ କିଏ
ରାଗ ରୁଷା କଲେ ଦିଏ ସେ ବୁଝାଇ
ଖୁଆଇ ଦିଏ ସେ ଜହ୍ନକୁ ଦେଖାଇ
ଆମର ବଳକା ଅଇଁଠା ଭାତକୁ
ନ ଫୋପାଡ଼ି ଖାଇଦିଏ
ମାଆ ପରି ହେବ କିଏ
ଜ୍ବର ରୋଗ ହେଲେ ବସଇ ପାଖରେ
ଝୁଲାଇ ଦିଏ ସେ ବସାଇ କାଖରେ
ବାଟେ ଚାଲୁ ଚାଲୁ ଖସିଯାଇ ଗୋଡ଼
ଝୁଣ୍ଟିଗଲେ ତୋଳି ନିଏ
ମାଆ ପରି ହେବ କିଏ
ଶୁଆଇ ଦିଏ ସେ ପିଠି ଥାପୁଡ଼ାଇ
ଫଳ କାଟି ଦିଏ ଚୋପାକୁ ଛଡ଼ାଇ
ଅଜାଣତେ ଦୋଷ କଲେ ରାଗେନାହିଁ
ନିର୍ମଳ ହୃଦୟଟିଏ
ମାଆ ପରି ହେବ କିଏ
ସେ ମାଆ ଚରଣେ କୋଟି ନମସ୍କାର
ଶୁଝି ନ ପାରିବି ଉପକାର ତା'ର
ନିର୍ଯ୍ୟାତନା ଦିଅ ନାହିଁ ତାକୁ କେବେ
ଯେତେ ଅଛ ପୁଅଝିଏ
ମାଆ ପରି ହେବ କିଏ ।
