STORYMIRROR

Kailash Chandra Behera

Children

3  

Kailash Chandra Behera

Children

ମାଆ ପରି ହେବ କିଏ

ମାଆ ପରି ହେବ କିଏ

1 min
193

ମାଆ ପରି ହେବ କିଏ

ପ୍ରଥମ ଗୁରୁ ସେ ପାଖରେ ବସାଇ

କଥା କୁହାଇଛି ଯିଏ

ହାତ ଧରି ସିଏ ଚାଲି ଶିଖାଇଛି

କାନ୍ଦୁଥିଲେ ସ୍ନେହେ କୋଳକୁ ନେଇଛି

ମମତାମୟୀ ସେ ଅଭିମାନ କଲେ

ଯାହା ମାଗିବା ସେ ଦିଏ

ମାଆ ପରି ହେବ କିଏ

ରାଗ ରୁଷା କଲେ ଦିଏ ସେ ବୁଝାଇ

ଖୁଆଇ ଦିଏ ସେ ଜହ୍ନକୁ ଦେଖାଇ

ଆମର ବଳକା ଅଇଁଠା ଭାତକୁ

ନ ଫୋପାଡ଼ି ଖାଇଦିଏ

ମାଆ ପରି ହେବ କିଏ

ଜ୍ବର ରୋଗ ହେଲେ ବସଇ ପାଖରେ

ଝୁଲାଇ ଦିଏ ସେ ବସାଇ କାଖରେ

ବାଟେ ଚାଲୁ ଚାଲୁ ଖସିଯାଇ ଗୋଡ଼

ଝୁଣ୍ଟିଗଲେ ତୋଳି ନିଏ

ମାଆ ପରି ହେବ କିଏ

ଶୁଆଇ ଦିଏ ସେ ପିଠି ଥାପୁଡ଼ାଇ

ଫଳ କାଟି ଦିଏ ଚୋପାକୁ ଛଡ଼ାଇ

ଅଜାଣତେ ଦୋଷ କଲେ ରାଗେନାହିଁ

ନିର୍ମଳ ହୃଦୟଟିଏ

ମାଆ ପରି ହେବ କିଏ

ସେ ମାଆ ଚରଣେ କୋଟି ନମସ୍କାର

ଶୁଝି ନ ପାରିବି ଉପକାର ତା'ର

ନିର୍ଯ୍ୟାତନା ଦିଅ ନାହିଁ ତାକୁ କେବେ

ଯେତେ ଅଛ ପୁଅଝିଏ

ମାଆ ପରି ହେବ କିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children