ମାଆ ଅତୁଳନୀୟା
ମାଆ ଅତୁଳନୀୟା
ସବୁଠାରେ ରହି ପାରିବେନି ବିଭୁ ମାଆ ରୂପ ନେଲେ
ଈଶ୍ବରଙ୍କ ମଧ୍ୟ ମାଆଟିଏ ଅଛି ଆମେ ଭୁଲିଗଲେ !
ଗୋ ଗଂଗା ଗାୟତ୍ରୀ ମାତା ମାତୃଭୂମି ମାତୃତୁଲ୍ୟା
ହେଉ ସ୍ରୋତସ୍ୱିନୀ ଗଂଗା ହେଉ ଅବା ପାଷାଣୀ ଅହଲ୍ଯା !
ସୁଧାର ଗାଇ ହେଉ ଛେଳି କୁକୁଡା ଶାବକ ବିପଦେ
ସିଂହ ପ୍ରାୟ ଲଢିଯାଏ ସୁରକ୍ଷା ପାଦେ ପାଦେ।
ଅକ୍ଟୋପସ୍ ମାଆ ଜାଣିଚି ଜନ୍ମ କଲେ ନିଜେ ମରିବ
ସନ୍ତାନ ଜନମ ଦିଏ ସୃଷ୍ଟି ଆଗେ କିପରି ବଢିବ !
ଜିଜାବାଇ ଶିବାଜୀଙ୍କ ପିତା ମାତା ଶିକ୍ଷକ ସାଜିଲେ
ପୁତଲି ବାଇ ମାଆ ଯୋଗୁଁ ମୋହନ ମହାତମା ହେଲେ ।
ବାବୁରେ ପଢିଲେ ଜାଣିବୁ ଏପରି ଶିକ୍ଷା ମାଆ ଦିଏ
ସେଥିପାଇଁ ପୁଅ ଝିଅ ସମାଜରେ ଜଣେ ଗଣା ହୁଏ ।
ମାଆ ରକ୍ତ ମାଂସ ଧାରୀ ସିଏ ପୁଣି ନିରାକାର ପରି
ନଭ ଜଳ ସ୍ଥଳ ସବୁଠାରେ ରହିଛି ସେ ପୁରି ।
ବିଶ୍ୱବିଦ୍ୟାଳୟ ପାଠ ମାଆ ପାଖେ ହାର ମାନେ
ଏମିତି କେଉଁ ବିଦ୍ୟା ଅଛି ଯାହା ମାଆ ନ ଜାଣେ!
ମାଆ ଡାକ ସଂସାରେ ନିଆରା ମଶାଣିରେ କଥା କୁହେ
ମାଆ ଗାଳି ଦାଣ୍ଡ ଧୂଳି ଝାଡି ଦେଲେ ପୁଣି ସଫା ହୁଏ ।
ଘୋଡାଚଢା ବାପା ନଥାଉ ଧାନକୁଟି ମାଆ ଯଦି ଅଛି
ଦୁନିଆଁ ଦାଣ୍ଡରେ ଛିଡା କରିଦେବ ବିଶ୍ୱାସ ଅଛି ।
ଆଶା ଆକାଂକ୍ଷା ଉର୍ଦ୍ଧ୍ଵରେ ଆଶୀର୍ବାଦ ସଦା ଦେଇ ପାରେ
ଦୁଃଖ ନେଇ ସୁଖ ପୁଣି ରୋଗ ନେଇ ଭୋଗ ଦେଇପାରେ ।
ଲକ୍ଷ୍ମୀ ପରି ଧନ ବାଣୀ ପରି ବିଦ୍ୟା ଦୁର୍ଗା ପରି ଶକ୍ତି
ସନ୍ତାନକୁ ଦେଇ ପାରେ ମାଆ ନକର ପଛେ ଭକ୍ତି।
