ମା ଉଗ୍ରତାରା
ମା ଉଗ୍ରତାରା


ମା ମଙ୍ଗଳମୟୀ ମା କଲ୍ୟାଣମୟୀ
ଉଗ୍ରତାରା ମହାଶକ୍ତି
ସେନହ ମମତା ଦିଅ ଭରି ମାତା
ଜଞ୍ଜାଳରୁ କର ମୁକ୍ତି ll
ଶକ୍ତିର ସ୍ୱରୂପ ଧରି ଉଗ୍ର ରୂପ
ଅଛୁ ଯେ ଭୂଷଣ୍ଡପୁରେ
ଗଡ଼ ଖୋରଧାର ଚତୁଃପାର୍ଶ୍ୱେ ତୋର
ଶକ୍ତି ପୂଜେ ପାଇକରେ ll
ପୀଠ ତନ୍ତ୍ର ମନ୍ତ୍ର ସାଧନାର କେନ୍ଦ୍ର
ମାତା ତୁହି ମହା କାଳୀ
ମନ୍ଦାର ମାଳିନୀ ଖର୍ପର ଧାରିଣୀ
ଅଧର୍ମକୁ ଦେଉ ଦଳି ll
ମାଳ ନର ମୁଣ୍ଡ ବେକେ ପରିଧାନ
ବ୍ୟାଘ୍ର ଚର୍ମ ପରିହିତା
ମାତା ଚତୁର୍ଭୁଜା ହସ୍ତେ ନାଗ ସଜା
ରକ୍ତବର୍ଣ୍ଣା ମା ତ୍ରିନେତ୍ରା ll
ଦୁଃଖ ତାରୟତୀ ନୀଳ ସରସ୍ବତୀ
ତାରା ନାମେ ତୋର ଖ୍ୟାତି
ଉଗ୍ରତାରା ବୋଲି ଭକ୍ତ ଡାକିଦେଲେ
ଦୁଃଖରୁ ମିଳଇ ମୁକ୍ତି ll
ସୃଷ୍ଟି ମାତା କରୁ ପାଳନ ବି କରୁ
ସଂହାର କାରିଣୀ ଦୁର୍ଗା
ଦଶ ମହାବିଦ୍ୟା ନାମ ଶିବ ଶିବା
ତାରା ମାଗୋ ମହାଦୁର୍ଗା ll
ମାଆଗୋ ଭୈରବୀ, କାଳୀ, ଧୂମାବତୀ
ମାତା ତ୍ରିପୁରା ସୁନ୍ଦରୀ
ଛିନ୍ନମସ୍ତା, ତାରା, ମାତାଙ୍ଗୀ, ବଗଳା
ଷୋଡଶୀ, ଭୁବନେଶ୍ୱରୀ ll
ଆଶୀର୍ବାଦ ମାଗୁ ଦୟା କରିଥିବୁ
ରୋଗ, କଷ୍ଟ ହଟାଇବୁ
କ୍ରୋଧ, ହିଂସା ଠାରୁ ହଟାଇ ଆମକୁ
ସଦଜ୍ଞାନ ମାତା ଦେବୁ ll