ମା' ସର୍ଵଂସହା
ମା' ସର୍ଵଂସହା
ମରଣ ପାଇଁ କି ବହୁବିଧ ବାଟ ଜନମ ପାଇଁ କି ମା'
ମା’ ଯାର ନାହିଁ ଦୁନିଆରେ ତା'ର ନଥାଏ କେହିଟି ସାହା ।
ଦଶ ମାସ ଗର୍ଭ ବେଦନା ନୁହେଁ ସେ ମରଣ ସାଥେ ଲଢେଇ
ସଂସାରର ସବୁ ସୁଖ କରେ ତୁଛ କହିବା କିବା ବଢେଇ ।
ପଶୁ ପକ୍ଷୀ ଶିଶୁ ଚାଟି ଚୁଟି ଦେଲେ ଆପଣା କରମ କରି
ମଣିଷ ଶିଶୁକୁ ମଣିଷ କରିବା ମରଣ ପର୍ଯ୍ୟନ୍ତ ଜାରି ।
ସୁଧାର ଗାଇଠୁ ନିରୀହ କୁକୁଡା ସନ୍ତାନ ପାଇଁ ଅମୋଘ
ଶାବକ ତା'ର କେ ଛଡାଇ ଦେଖୁ ତ ଲଢି ଯିବ ସାତ ସିଂହ ।
ପିଲାକୁ ମଣିଷ କରିବ ମା'ଟି ସବୁ ବିକା ଭଞ୍ଜା କରି
ବାପା ଯା'ର ନାହିଁ ଅନାଥ ନୁହେଁ ସେ ଯଦି ମା’ ନାହିଁ ମରି ।
ଘୋଡା ଚଢା ବାପ ନଥିଲେ ନଥାଉ ଥିବ ଧାନ କୁଟି ମା’
ଦୁନିଆ ଦାଣ୍ଡରେ ଛିଡା କରିଦେବ ଧନ୍ୟ ସେ ଶକତି ମା’ ।
ଗୋ ଗଂଗା ଗାୟତ୍ରୀ ତିନି ମାତା ପୁଣି ଦେଶ ମାତୃକାର ଗାଥା
ଧାଇ ମା’ ଯା'ର ପାଳନ କରିଛି ନୁଆଁଇବା ତାକୁ ମଥା ।
ବାପ ସିନା ଖୋଜେ ସୁଯୋଗ୍ୟ ସନ୍ତାନ ବଢିବା ପାଇଁ କି ବଂଶ
ସକଳ କଷଣ ସହିପାରେ ମା’ ସନ୍ତତି ପ୍ରାଣର ଅଂଶ ।
ମା'ର ଗାଳିଟି ଦାଣ୍ଡ ଧୂଳି ବୋଲି ଶାସ୍ତ୍ରରେ ରହିଛି ଲେଖା
ହଂସ ବାହିନୀରୁ ସିଂହବାହିନୀ ଇଏତ ମା'ର ବ୍ୟାଖ୍ୟା ।
ମାତୃ ଦିବସ ଦିନଟିଏ ପାଳି କରୁଛେ କର୍ତ୍ତବ୍ୟ ଶେଷ
ମା ପାଇଁ ହେବ ଶ୍ରଦ୍ଧାଞ୍ଜଳି ସବୁ ଦିନକୁ କରି ବିଶେଷ ।