ମା’ ଓ ମମତା
ମା’ ଓ ମମତା
କୁଆଁ କୁଆଁ ରାବି ଆମେ ଯେଉଁଦିନ
ଛୁଇଁଲୁ ଏ ଧରା ମାଟି
ଅମୃତ ପରଶି ଟିକି ତୁଣ୍ଡେ ମା’
କୋଳେ ନେଲା ସାଉଁଟି
ସେନେହ ସରାଗ ମମତା ମଧୁର
ଭାରି ମିଠା ମା ଡ଼ାକ
ମା' କୋଳେ ଥିଲେ ଭୁଲି ଯାଇଥିଲୁ
ଭୋକ, ଶୋଷ, ଦୁଃଖ, ଶୋକ
ଜନ୍ମ ଦେଇ ସାରି କୋଳରେ ତାହାର
ସରାଗରେ ପାଳେ ମାତା
ମା’ କୋଳ ଛାଡ଼ି ଦାଣ୍ଡେ ଠିଆ ହେଲୁ
ସାହା ହେଉଥିଲେ ପିତା
ଜଗତରେ ପରା ସବୁଠାରୁ ବଡ଼
ସେଇତ ଜନନୀ ଆମର
ତା ଓଠର ମିଠା କେଇ ପଦ କଥା
ଶୁଣିବାକୁ ମନ ଆତୁର
ରୁଷିଲେ ରାଗିଲେ ବୁଝେଇ ସୁଜେଇ
ମନ କିଣି ନେଉଥାଏ
ଭୋକ ହେଉଥିଲେ ମନକଥା ଜାଣି
ଖାଇବାକୁ ବାଢ଼ି ଦିଏ
ମାର ହୃଦୟ ଭରା ସରଗର ସୁଖ
ତା' ପଣତ କାନିରେ ପୋଛଦିଏ ଦୁଃଖ
ମା’ର ଆଖିରେ ଦୁନିଆ ଦେଖିଛୁ
ଆଶୀର୍ବାଦ ଥାଏ ତାହାରି ପାଖ
ରାତି ପାହିଗଲେ ସବୁକାମ ସାରି
ବୁଝୁଥିଲା ଆମ ଖବର
ଖାଇବା ପିଇବା ଶୋଇବାରେ ପରା
ରଖିଥିଲା କେତେ ନଜର
ମିଠା ମିଠା କଥା ଦେଉଥାଏ
ମନେ ଭରୁଥାଏ ସାହାସ
ଯେତେ କଷ୍ଟ ଥାଉ ତାହାରି ଜୀବନ
ତୁଣ୍ଡରେ ଥାଏ ତା ହସ ।
