Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalita Jena

Tragedy

3  

Lalita Jena

Tragedy

ବୋଉ ପାଖୁ ଚିଠି

ବୋଉ ପାଖୁ ଚିଠି

2 mins
6.8K


ପ୍ରଣାମ ମୋର ନେଉଥାଲୋ ବୋଉ

ଶୁଣାଇବୁ ବାପା କାନେ ,

ଦୁର ରାଇଜରେ ରହିଛି ତୋ ଝିଅ

ଦୁଃଖ କରିବୁନି ମନେ ।।

ଅନ୍ତ ଚିରି ମତେ ଜନ୍ମ ଦେଇଥିଲୁ

କାହିଁ ପରକଲୁ କହ ,

ଏତେ ଦୂରେ ମତେ ବାହା କରିଦେଲୁ

ଝୁରୁଛି ଆଜି ତୋ ଝିଅ ।।

ଘର କଥା ମୋର ମନେ ପଡୁଛି ଲୋ

ଆଖିରୁ ଝରଇ ଲୁହ ,

ଗେଲ ବସରରେ ବଢିଥିଲି ବୋଉ

ମନରୁ ଉଠଇ କୋହ ।।

ଦେଖି ଆସିଥିଲି ଆମ ବାଡ଼ିରେ ଲୋ

ସଜନା ଛୁଇଁ ଯେ କେତେ ,

ସାହି ଝିଅଙ୍କୁ କହିବୁ ଲୋ ବୋଉ

ପାଶୋରି ନ ଦେବେ ମୋତେ ।।

ମନେ ପଡେ ତୋ ହାତ ରନ୍ଧା ତିଅଣ ଲୋ

ଖାଇପାରୁ ନାହିଁ ଭାତ ,

ଆମ ଗାଁ ଯାତରା କେବେ ହବ ବୋଉ

ଦେଖିବି ମୁଁ ଦୋଳଯାତ ।।

ଶୁଣି ଆସିଥିଲି ଆମ କାଳିଆ ଠାକୁର

ରଥରେ ବସିବେ ପରା ,

ହତ ଭାଗିନୀ ମୁଁ ଦୁରେ ରହିଲିଲୋ

ଦେଖି ପାରିଲିନି ରଥଯାତରା ।।

ସାହି ନୁଆବୋଉ ମନେ ପଡୁଛି ଲୋ

କେତେ ଗେଲ ଥଟ୍ଟା କରୁ ,

ହଜିଗଲା ଆମ ଗାଁରୁ ନାଆ ଲୋ

ଝୁରି ଝୁରି ଏଠି ମରୁ ।।

ଗୁହାଳ ପିଢାରେ ପୋଇ ମାଡିଥିଲା

ଦେଖି ମୁଁ ଯେ ଆସିଥିଲି ,

ଲେଉଟିଆ ଶାଗ ବୁଣା ହୋଇଥିଲା

ଆଣିବେ କି ବାପା କାଲି ।।

ବାଡ଼ି ବରକୋଳି ମନେ ପଡୁଛି ଲୋ

ଖାଇଥିଲି ମୁଁ ଯେ କେତେ ,

ତୋଳିକି ଦିଟା , ପଠେଇବୁ ବୋଉ

ମୋର ସାନ ଭାଇ ହାତେ ।।

ବାପାଙ୍କୁ କହିବୁ ଆସିକି ନେବେ ଲୋ

ଗାଁ କୁ ମୁଁ ବୁଲି ଯିବି ,

ଘର ବସାଥହି ପଠାଇବୁ ବୋଉ

ପାଟିରେ ଟିକିଏ ଦେବି ।।

ରଜଭାର ଯେବେ ପଠାଇବୁ ବୋଉ

ପାନଗୁଆ ଦେଇଥିବୁ ,

ଚାହିଁ ବସିଥିବେ ଶାଶୁ ଶ୍ୱଶୁର ମୋ

ଛୋଟ ମତେ ନ କରିବୁ ।।

ଦେହ ମୁଣ୍ଡ ତୋର ନେବୁ ଲୋ ଯତନ

ବାପାଙ୍କ କଥା ବୁଝିବୁ ,

ସବୁ ପରବରେ ମୋ ପାଖୁ ଲୋ ବୋଉ

ଭାଇଙ୍କୁ ପଠଉଥିବୁ ।।

ଆମ ଗାଁ ଠାକୁରାଣୀ ଥାଆନ୍ତୁ ଦୁରରରେ

ମୁଁ କରେ ଶତ ଦଣ୍ଡବତ ,

ପର କରିବୁନି କେବେ ମତେ ବୋଉ

ତୋ ପାଖେ ସ୍ନେହ ବହୁତ ।।

ଏତିକି ଲେଖିକି ରହୁଛିଲୋ ବୋଉ ପାଶୋରି ନ ଦେବୁ ମନୁ

ମୋର ଚିଠି ପଢ଼ି ଦୁଃଖ କରିବୁନି

ଇତି , ତୋ ହତଭାଗୀ ଝିଅ ମିନୁ ।।



Rate this content
Log in