ଲକ୍ ଡାଉନ୍
ଲକ୍ ଡାଉନ୍


ହେ ପୁରୁଷ !
ହେ ପୁରୁଷ ପ୍ରଧାନ !
ହେ ପୁରୁଷକୈନ୍ଦ୍ରୀକ ସମାଜର ଅଧୀଶ୍ଵର ପରମେଶ୍ଵର !
ପ୍ରଥମ ଅନୁଭବ ଲକ୍ ଡାଉନ୍
ପ୍ରଥମ ଅନୁରକ୍ତି ସଟ୍ ଡାଉନ୍
କେମିତି ଲାଗୁଛି ଗୃହବନ୍ଦୀ ତାଲାବନ୍ଦ ଶୃଙ୍ଖଳ ବୈଭବ ?
କେମିତି ଲାଗୁଛି ଦର୍ଦ୍ଦଭରା ଛାତି ଥରା ଜଞ୍ଜିର ସୌରଭ ?
ଆମେ ନାରୀ ଜାତି ସବୁଦିନ
ଜନ୍ମରୁ ମରଣ ଯାଏ
କୋଳରୁ କୋକେଇ ଯାଏ
ଜଠରୁ ଶ୍ମଶାନ ଯାଏ
ଲକ୍ ଡାଉନ୍ ଶଟ୍ ଡାଉନ୍ କୁ
ମଥାପାତି ମାନିନେଇଛେ
ହସି ହସି ବଂଚି ଶିଖିଛେ ।
ଘଡିଏ ବି ଫରକ ପଡ଼େନା
ରତିଏ ବି ଚିନ୍ତା ଆସେନା
କେଉଁ ବଜାର ଖୋଲା
କେଉଁ ହୋଟେଲ ତାଲା
କେଉଁ ଦୋକାନ ବନ୍ଦ
କେଉଁ ଗଳିଟା ବାଉଁଶବନ୍ଧା ବାସନ୍ଦ ।
ଆମ ପାଇଁ ଯେଉଁ ଲକ୍ଷ୍ମଣରେଖା
ଆଦିମ କାଳରୁ ଟାଣିଦେଇଛ !
ଆମ ପାଇଁ ଯେଉଁ ସୀମାରେଖାର ଚୌହଦୀ ନଜରବଂଦୀ
ଜିହ୍ନି କାକୁଡି ଲତା ପରି
ସଂସାର ପିଲାଛୁଆ
ପରିବାର ବେଢୀ ସରି
ଘରେ ବାନ୍ଧି ରଖିଛ !
ତୁମେ ସବୁ ପ୍ରଥମତଃ ଏହି
ପରାଧୀନତାର ଜଞ୍ଜିର ଶୃଙ୍ଖଳକୁ !
ଗୃହବଂଦୀ ତୁଣ୍ଡିଟଣା ଅନୁଭବକୁ !
ନିଜଘରେ ନଜରବନ୍ଦୀ
ବୁକୁଫଟା ଚୁପ୍ ଚାପ୍ କ୍ରନ୍ଦନକୁ !
ହାରିଯିବାର ଭୟଲୟକୁ !
>
ଭିତତ୍ରସ୍ତ ପରାସ୍ତ ଅନ୍ତରାତ୍ମାକୁ !
କହୁଛ କ'ଣ ନା ?
ଡିଣ୍ଡିମ ହାଙ୍କୁଛ କ'ଣ ନା ?
ଭୁତାଣୁ ଜୀବାଣୁ ବୀଜାଣୁ ଭୟରେ ପରା
କରେ।ନା କୋଭିଡ୍ ମହାମାରୀ ଡରରେ ପରା
ଡାହା ମିଛ ! ସଫେଦ ମିଛ !
ମଧୁର ଅଭିନୟ
ପୁଣି ବେକ କାଢିଛି ମଣିଷ-କଇଁଛ ।
ମୃତ୍ୟୁର ଶୀତଳ ଛାଇ
ହେଇ ନାହିଁ
ପୁଣି ଆସିବ କେବେ ଧାଇଁ ?
ନଶ୍ଵର ରକ୍ତ ମାଂସ ଶରୀର
ବଂଚିବାକୁ ସଦା ହାଇଁ ପାଇଁ ।
ହେ ମଣିଷ ! ହେ ପୁରୁଷ !
ଜାଗ ଉଠ ଉତିଷ୍ଠ !!!
କ୍ଷଣ କ୍ଷଣରେ ବଂଚିବା ଆମେ
ପ୍ରତି ମୁହୁର୍ତ୍ତରେ ନାଚିବା ଆମେ
କାନଟା ବଧିରା ହେବା ପୂର୍ବରୁ
ପାଦଟା ଥକିଯିବା ବହୁ ଆଗରୁ
ହାତ ଅଚଳ ହେବା ଅବସାଦରୁ
ମୁଣ୍ଡରେ ପାଗଳପଣ ଆସିବା ପୂର୍ବରୁ
ଚଷମାଲଗା ଆଖିରେ ପରଳ ପଡ଼ିବା ଅନେକ ଅନେକ ଦିନ ଆଗରୁ
ବଂଚି ଯିବା ମିନିଟ୍ ମିନିଟ୍
ଜିଇଁ ଯିବା ସେକେଣ୍ଡ ସେକେଣ୍ଡ
ସାଥିହୋଇ ସାଂଗ ହୋଇ
ସୁଖଦୁଃଖ ଭାଗ ବସେଇ
କନ୍ଦେଇ ହସେଇ ଲୁହ ଝରେଇ
ମୁରୁକି ଲାଜେଇ ପାଖରେ ଶୋଇ
ପୂରା ସଟ୍ ଡାଉନ୍ ଲକ୍ ଡାଉନ୍
ନୁହଁ ! ଯମାରୁ ନୁହଁ !
ଆଦିମ ଅନନ୍ତ କାଳଯାଏ
କାଳରୁ କାଳାନ୍ତର ଯାଏ
ଯାବତ୍ ଚନ୍ଦ୍ରସୂର୍ଯ୍ୟ ଯାଏ ।