ଲେମ୍ବୁର ଦର
ଲେମ୍ବୁର ଦର
ଯାଉଥିଲେ ବାବୁ ମାର୍କେଟିଙ୍ଗ କରି
ସ୍କୁଟିଟିକୁ ସଙ୍ଗେ ଧରି
ପଛରୁ ଡାକିଲେ ବାବୁଆଣି ପଦେ
ଟାଣ ଖରା ଦେଖି ଭାରି ।
ଖରାରେ ବୁଲିଲେ ସନ ଷ୍ଟ୍ରୋକ ହୁଏ
ଲେମ୍ବୁ ପାଣି ଟିକେ ପିଅ
ଓଦା ଗାମୁଛାକୁ ମୁଣ୍ଡରେ ପକେଇ
ସଉଦା ପାଇଁକି ଯାଅ ।
ଦରାଣ୍ଡିଲେ ଡିବା ଲେମ୍ବୁଟିଏ ନାହିଁ
କହିଲେ ଆଣିବ ଲେମ୍ବୁ
ଲସି ଦୋକାନରୁ ସରବତ ପିଇ
ବଜାରକୁ ଯିବ ବାବୁ ।
ବାବୁ ଚାଲିଗଲେ ଲସି ଦୋକାନରେ
ଲେମ୍ବୁ ସରବତ ମାଗି
ଚେୟାର ଉପରେ ବସି ସେ ପଡିଲେ
ଥକା ମେଣ୍ଟାଇବା ଲାଗି ।
କହିଲେ ଦୋକାନୀ ସରବତ ମିଳୁନି
ଲେମ୍ବୁ ହେଲା ଚଢା ଦର
ଗିଲାସେ ପାଣିରେ ଫାଳେ ଲେମ୍ବୁ ଦେଲେ
ଦାମ ତା ଅମୁଲ ମୁଲ ।
ବାବୁ ଚାଲିଗଲେ ସଉଦା କିଣିଲେ
ପଚାରିଲେ ଲେମ୍ବୁ ଦର
ଲେମ୍ବୁ ଦର ଶୁଣି ବାବୁଙ୍କୁ କେଜାଣି
ହେଲା ଶହେ ତିନି ଜ୍ୱର ।
ମୁଣ୍ଡେ ହାତ ଦେଇ ବସିଲେ ସେଠେଇ
ଭାବି ହେଲେ ଆଗ ପଛ
ବଜ୍ରକାପ୍ତା ଭଳି ଲୋପ ପାଇଲା କି
ପୃଥିବୀରୁ ଲେମ୍ବୁ ଗଛ ।
ସ୍ୱର୍ଗ ପୁରେ ଖରା ହୋଇଣ ଆତୁରା
ଦେବତାଏ ମର୍ତ୍ତ୍ୟେ ଆସି
ଚୋରାଇ କି ନେଲେ ରାତି ଅଧିଆରେ
ଲେମ୍ବୁ ଗଛୁ ଲେମ୍ବୁ କଷି ।
ସୂର୍ଯ୍ୟଙ୍କ ଦାଉରେ ଜଳ ଅଭାବରେ
ଶୋଷରେ ବାନର ଦଳ
ତୋଳିକି ଖାଇଲେ ବସି ଗଛ ଡାଳେ
ଥିଲା ଯେତେ ଲେମ୍ବୁ ଫଳ ।
ଅଜାଣତେ ବାବୁ କଥା ଭାବୁ ଭାବୁ
ପହଞ୍ଚିଲେ ଘରେ ଆସି
ଦୁନିଆଁରେ ଆଉ ଚଳି ତ ହେବନି
ନାହିଁ ଗୋଟେ ଲେମ୍ବୁ କଷି ।
