STORYMIRROR

Krushna Chandra Lenka

Classics Inspirational Children

4  

Krushna Chandra Lenka

Classics Inspirational Children

କୁସୁମର କୋହ

କୁସୁମର କୋହ

2 mins
515

କେତେ ଯେ ବନେ ଉପବନେ ଆମେ ଦିଶୁ ନୟନେ,

ଦେଖିଣ ରୂପ ବର୍ଣ୍ଣ ଆମ ତୋଷ ହୁଅନ୍ତି ଜନେ।


ଭଳି ଭଳି ରୂପ ଆମର ଶୋଭା ପାଏ ଭୁବନେ,

ଆମ ବେଶ ଦେଖି ନାଚଇ ଶିଶୁ ଆନନ୍ଦ ମନେ।


କେବେ ଶୋଭା ଆମ ଦିଶଇ ସାଇଁ ମସ୍ତକ ପରେ,

କେବେ ଯାଉ ପୁଣି ଶ୍ମଶାନ ତବ ଶବ ସାଥିରେ।


ଭକତି ଭାବ ଆମେ ଯୋଡୁ ସାଇଁ ଭକତ ସାଥେ,

ଚଉପାଶେ ଆମ ମହକ ସତେ ଚହଟେ କେତେ।


ଦୋଳି ଖେଳୁ ଯହିଁ ସମୀରେ ଦେଖି ରୂପ ଯେ ଆମ,

ଦୂର ହୁଅଇ ତବ ରୋଗ ମିଳଇ ଉପଶମ ।


ଆମ ଦେହୁଁ ମଧୁମକ୍ଷୀକା ମଧୁ ସଞ୍ଚୟ କରି,

ଲଗାଏ ମାନବ ସେବାରେ ତାର ଜୀବନ ଭରି ।


ନିଇତି ତବ ଉପକାରେ ଆମେ ଆସୁ ଜୀବନେ,

ତଥାପି କିମ୍ପାଇଁ କଷଣ ଦିଅ ଆମ ବଦନେ ।


ଏ ଜୀବନ ଆମ ଉତ୍ସର୍ଗ ହୁଅଇ ତବ ପାଇଁ,

ଚକିତ ଲାଗଇ ମାନବ ଭାଳେ ତୋ କଥା ଯହିଁ ।


କେତେ କେତେ କ୍ଳେଶ ପ୍ରଭାତେ ନିତି ପାଉଚୁ ଆମେ,

ସେଇ କ୍ଳେଶ ଯଦି ପାଇବ କାହୁଁ ସହିବ ତୁମେ ।


ତରୁଠୁଁ ଅଲଗା କେ କରେ ଆମ ଗଳା ଛିଡାଇ,

ଛପି ଛପି ଥୋକେ ନିଅନ୍ତି ଦୂରୁଁ ହାତ ବଢ଼ାଇ ।


ଗୋଟି ଗୋଟି କରି କେ ନିଏ ଲଣ୍ଡା କରିଣ ବୃକ୍ଷ,

କେଡେ ଅବିବେକୀ ସେ ନର ତାର ପଡେନି ଲକ୍ଷ ।


ତୋ ଏ କରମ କଥା ଭାଳି ତରୁ ଦିଅଇ ଶାପ,

ସେପାଇଁ ଜୀବନେ ଲଭଉ ପୁଣ୍ୟ ବଦଳେ ପାପ ।


ଲଗାଇ ଥିଲା ଯେ' ଏ ଗଛ କେଡ଼େ ଯତନ କରି,

ପ୍ରଭାତେ ପ୍ରଦୋଷେ ଦିଅଇ ନୀର ଜୀବନ ଭରି ।


ତା' ବାରେ ନଚିନ୍ତି ତୁ ତିଳେ କିମ୍ପା ଦେଉ କଷଣ,

ତା ଉପବନୁ ନେଇ ଯାଉ ନିରିଦୟ ହୋଇଣ ।


ତୋଳେ ନାହିଁ ସେ ତିଳେ ପୁଷ୍ପ ତାରେ ସାଇତି ଥାଏ,

ଶୋଭା ପାଇଁ ଛାଡି ଦିଅଇ ସାରା ଜୀବନ ଯାଏଁ ।


ପ୍ରଭାତେ ଆମ ସ୍ଥିତି ଦେଖି ଫାଟି ଯାଏ ତା ହୃଦ,

ମନେ ମନେ ଶାପ ଦିଅଇ ଅନ୍ତରୁ ଆସେ କାନ୍ଦ ।


ମନବାଞ୍ଛା ପୂରଣ ଲାଗି ଯଦି ଚାହଁ ଜୀବନେ,

ଗଛ ଲଗାଇ ବାଡ଼ି କ୍ଷେତେ ତାରେ ରଖ ଯତନେ।


ଯଦି ଥାନ ନାହିଁ କୁଟୀରେ ତେବେ ବୁଦ୍ଧି ଖଟାଇ,

ରଖିଣ କୁଣ୍ଡ ଛାତ ପରେ ଗଛ ଦିଅ ଲଗାଇ।


ନିଜେ ଲଗାଇଥିବା ଗଛୁ କୁସୁମ ତୋଳି ନେଇ,

ଅର୍ପଣ ତାହା କରି ଦେଲେ ତୋଷ ହୋଇବେ ସାଇଁ।


ସେକାଳେ ଯେତେ ଅଭିଳାଷ ହେବ ସବୁ ପୂରଣ,

ଶକତି ଭରିବେ ଠାକୁର ପାପ କରି ହରଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics