କୁଳବଧୂ
କୁଳବଧୂ
କୁଳବଧୂ ନାମ ଶୁଣୁ ଶୁଣୁ ଦେହେ
ଶିହରଣ ଖେଳି ଯାଏ
କୁଳବଧୂ ପଦ ମର୍ଯ୍ୟଦା କ'ଣ
ପ୍ରଶ୍ନ ଉଙ୍କି ମାରୁ ଥାଏ ।
ଝିଅ ଟିଏ ଯେବେ କନିଆଁ ସାଜିଣ
ଶାଶୁଘର ଚାଲି ଯାଏ
ଏରୁଣ୍ଡି ବନ୍ଧକୁ ଡେଇଁଣ ସେ ଥାଏ
କୁଳବଧୂ ଆଖ୍ୟା ପାଏ ।
ଲଜ୍ଜାର ଭୂଷଣ ପିନ୍ଧିଣ ଥାଏ ସେ
ମଥାରେ ଓଢଣୀ ଦେଇ
ସ୍ନେହ ଶ୍ରଦ୍ଧା ବୋଳା ଥିରି କଥା କହି
ମନ ସିଏ ମୋହି ଥାଇ ।
ସକାଳୁ ଉଠିଣ ବାସି କାମ ସାରି
ପାଣିକୁ ରଖେ ଲୋଟାରେ
ଯେ ସକାଳେ ଉଠେ ଅଧୁଆ ମୁହଁକୁ
ଧୋଇ ହୁଅନ୍ତି ସେଥିରେ ।
ଗାଧୋଇ ସାରିଣ ଗୁରୁଜନଙ୍କୁ ସେ
ଆସିଣ ମୁଣ୍ଡିଆ ମାରେ
ଚା'କୁ କରିଣ ଆଣି ଦିଏ ସିଏ
କେତେ ଖୁସି ଆଗ୍ରହରେ ।
ଭକତିରେ କରି ଠାକୁର ପୂଜା ସେ
ରୋଷେଇ ଘରକୁ ଯାଏ
କେତେ ଯତନରେ ରୋଷେଇ କରିଣ
ସଭିଁଙ୍କି ପରଷି ଥାଏ ।
ସ୍ୱାମୀ ଛାଡିଥିବା ବାସନରେ ସିଏ
ନିଜ ପାଇଁ ବାଢି ଥାଏ
ଶାଶୁ ନଣତଙ୍କ ସହିତ ମିଶିଣ
ଖାଇ ଆନନ୍ଦରେ ଥାଏ ।
ଗୃହ ଅଗଣାକୁ ରଖେ ପରିଷ୍କାର
ଲିପୁ ଥାଏ ଗୋମୟରେ
ରୋଷେଇ ସରିଲେ ପ୍ରଥମେ ସିଏ ଯେ
ଅଗ୍ନିକୁ ଅର୍ପଣ କରେ ।
ସନ୍ଧ୍ୟା ହେଇଗଲେ ସନ୍ଧ୍ୟାବତୀ ଦିଏ
ତୁଳସୀ ମୂଳରେ ନେଇ
ପରିବାର ସୁଖ ଶାନ୍ତି ଖୁସି ପାଇଁ
ଶୁଭ ସେ ମନାସୁ ଥାଇ ।
ରାତି ହେଇ ଗଲେ ଭୋଜନ ସରିଲେ
ବିଛଣା ସଜେଇ ଦିଏ
ଶ୍ରଦ୍ଧା ଭକତିରେ ଶାଶୁ ଶଶୁରଙ୍କ
ପାଦକୁ ମଞ୍ଜାଳୁ ଥାଏ ।
ଦୟା କ୍ଷମା ପରୋପକାର ଭାବ
ସର୍ବଦା ଥାଏ ମନରେ
ଘରକୁ ଅତିଥି ଆସି ଥାଏ ଯେବେ
ସେବା କରେ ଆନନ୍ଦରେ ।
କୁଳ ଲକ୍ଷ୍ମୀ ସିଏ କୂଲର ମର୍ଯ୍ୟଦା
ସର୍ବଦା ଯେ ରଖୁ ଥାଏ
ସବୁ ଦୁଖ କଷ୍ଟ ମଥା ପାତି ସହି
କୁଳବଧୁ ଆଖ୍ୟା ପାଏ ।
ଆଜି କାଲି କୁଳବଧୂ ପାଇବାଟା
ହେଉଅଛି ଦିବା ସ୍ୱପ୍ନ
ଏମିତିକା ଚଣ୍ଡି ଉଦଣ୍ଡୀ ସେମାନେ
ମର୍ଯ୍ୟଦା କରନ୍ତି ଭଗ୍ନ ।
ଗୁରୁଜନ ପ୍ରତି ବେଖାତିରି ଭାବ
ଦାଣ୍ଡରେ ହୁଅନ୍ତି ଠିଆ
ମଥାରେ ତାଙ୍କର ନା ଓଢଣୀ ଥାଏ
ନଚାନ୍ତି ସାରା ଦୁନିଆ ।
ଶାଶୁ ଶଶୁରଙ୍କ ସେବା ଦୂର କଥା
ନା ଖାଇବାକୂ ମୁଠେ ଦ୍ୟନ୍ତି
ବଡ ବଡ କରି ଫୁଟାଣି ମାରିଣ
କଥା ବେଶୀ କହୁଥାନ୍ତି ।
ଡର ଭୟ ଟିକେ ନ ଥାଏ କାହାକୁ
କଥାରେ ଉଠାଏ ହାତ
ସତ ତ କୁହନ୍ତୁ ଇଏ କ'ଣ ହେବେ
କୁଳବଧୂରେ ଯେ ଖ୍ୟାତ ।