ଅଳସୁଆ ଆଖିର ଲୁହ
ଅଳସୁଆ ଆଖିର ଲୁହ
ଆଖିର ଚଉତରା ଏବେ ପ୍ରଶ୍ନ କରେ,
ମାଲିକେ ! ଆଉ ଆପଣଙ୍କ ଜୀବନରେ
ଦୁଃଖ ନାହିଁ ବୋଧେ !
ଯେଉଁ ଲୁହ ପ୍ରେମିକା ଭଳି
ମୋତେ ଜାବୁଡ଼ି ଧରୁଥିଲା
ତା'ର ଆଜିକାଲି କ'ଣ ଦେଖା ନାହିଁ ?
ମୁଁ କହିଲି ହେଲେ ସେ ଶୁଣିପାରିଲା
ନା ନାହିଁ ଯେ ଜଣା ନାହିଁ,
ପ୍ରଶ୍ନର ଉତ୍ତର ବୁଝି ପାରିଲା
ନା ନାହିଁ ତାହାବି ଜଣା ନାହିଁ ।
ଖାଲି କିଛି କହୁଥିଲି,
ଉତ୍ତର ନା ବ୍ୟଥା ତାହାବି ଜଣା ନାହିଁ ।
ଦୁଃଖ କଥା ଜାଣିନି
ହେଲେ ଅଳସୁଆମି ନିଶ୍ଚୟ ଅଛି ।
ଦୁଃଖ ଛାତିକୁ ଦୋହଲେଇ ଦେଉଛି
ହେଲେ ଅଳସୁଆ ଆଖି କଥା ଆଉ ମାନୁନି ।
କହୁଛି କାନ୍ଦିବାକୁ ଇଚ୍ଛା ନାହିଁ,
ମନର ଦୁଃଖ ମନରେ ଥାଉ
ମୋତେ ଦେବା ଦରକାର ନାହିଁ ।
ଅଳସୁଆମି ଏତେ ଯେ
ଆଖିର ଚଉତରାକୁବି ଖବର ନାହିଁ ।
ଦେହରୁ ରକ୍ତ, ପୁଜର ନଦୀ ବାହାରି ଯାଉଛି
ହେଲେ ଆଖିରେ ବେରଙ୍ଗ ଲୁହ ନାହିଁ ।
ଅଛି ତ ଅଛି କ'ଣ !
କାହାକୁବି ଖବର ନାହିଁ ।
ବିକୃତ ମୁହଁ ଭାବନାରେ ଭାରି ହୃଦୟ,
ଆଉ କିଛି ଦରକାର ନାହିଁ ।
ଦୁଃଖ ଅଛି ଯଦି
କାହାକୁ କହିବା ଦରକାର ନାହିଁ ।
ସତରେ ଜାଣିଛ !
ଦୁଃଖର ଓଜନ ଅଧିକ ଥିଲେ,
ଅଳସୁଆ ଆଖିରୁ ଲୁହ
କେବେ ଝରିଯାଏ ନାହିଁ ।
