ଫେରି ଆସ ହେ ମହାତ୍ମା
ଫେରି ଆସ ହେ ମହାତ୍ମା
ଫେରି ଆସ ତୁମେ ହେ ମହାମାନବ
ସଦା ଝୁରେ ଜନ୍ମ ମାଟି ,
ସତ୍ୟ ଅହିଂସାର ବେଦମନ୍ତ୍ର ତୁମ
ଦେଉଥିଲା ଶାନ୍ତି ଭେଟି ।
ସରଳ ତୁମର ବେଶ ଆଉ ଭୁଷା
ଚାନ୍ଦ ପରି ସୁଶୀତଳ,
ଖଟି ଖାଇ କାଟି ପିନ୍ଧିବାର ନିଶା
ମନେ ଦେଉଥିଲା ବଳ ।
ବିଳାସ ବ୍ୟସନ ପରିହର କରି
ଜୀବନେ ସାଜିଲ ଦାସ ,
ହାତେ ବାଡ଼ି ଧରି କୋଷ ଚାଲୁଥିଲ
ନଥିଲାଟି କେବେ କ୍ଲେଶ ।
ବିଲାତରୁ ଶିକ୍ଷା ସମାପ୍ତ କରିଣ
ଫେରିଲ ନିଜର ଦେଶ ,
ଅହିଂସା ଧରମେ ସାଜି କର୍ମବୀର
ଦେଶେ ଫୁଟାଇଲ ହସ ।
ଅଧୁରା ସ୍ୱପ୍ନରେ ଆଲୁଅ ଲିଭିଲା
ମୃତ୍ୟୁକୁ କଲ ବରଣ ,
ପ୍ରାଥନା ସଭାରେ ଗୁଳିବିଦ୍ଧ ହୋଇ
ଛାଡିଲ ଶେଷ ପରାଣ ।
କାଳଜୟୀ ତୁମ ସ୍ୱାଧୀନତା ସ୍ୱାଦ
ସବୁଠି ଅର୍ଜିଲ ଯଶ ,
ମହାନତା ତବ ଉପଦେଶ ଜ୍ଞାନ
ସଭିଙ୍କୁ କରିଲା ଵଶ ।
ଫେରି ଆସ ଥରେ ହେ ଜାତି ଜନକ
କାନ୍ଦୁଚି ଭାରତବର୍ଷ ,
ଆଉ ନାହିଁ ସେହି ସୁନାର ଭାରତ
ଦୁର୍ନୀତିରେ ହୋଇ ଶେଷ ।
ଚାଷି ଆତ୍ମହତ୍ୟା ବଢେ ଦିନୁଦିନ
ନାରୀ ହୁଏ ନିର୍ଯ୍ୟାତିତ ,
ଭୂଦାନ ବଦଳେ ରକ୍ତର ଶୋଷଣେ
ଜନ ହୁଏ ନିଷ୍ପେସିତ ।
କେତେ ଯେ ଭେଳିକି ଚାଲେ ସବୁଠାରେ
ଲାଞ୍ଚରେ ମେଣ୍ଟଇ ଶୋଷ ,
ତୁମ ଫଟୋ ଆଗେ ଫୁଲମାଳ ଦେଇ
କରୁଥାନ୍ତି ଅବଶୋଷ ।
ଅମଙ୍ଗ ପଣରେ କ୍ଷୀର ରୁଚେ ନାହିଁ
ପିଉଥାନ୍ତି ସୋମରସ,
ଚେତନା ଶୂନ୍ୟରେ ଡ଼ଙ୍ଗା ଚାଲେ ପରା
ବଦଲାନ୍ତି ନିତି ବେଶ ।
ଫେରିଆସ ବାପୁ ହେ ପୂର୍ଣ୍ଣ ମହାତ୍ମା
ଝୁରୁଚି ଭାରତ ବର୍ଷ ,
ସତ୍ୟ ଅହିଂସାର ମନ୍ତ୍ର ଫୁଙ୍କି ଦିଅ
ତୁଟି ଯାଉ ସବୁ ଲେଶ ।