କ୍ଷେତ୍ର ଭଳିଆ କ୍ଷେତ୍ର ନାହିଁ
କ୍ଷେତ୍ର ଭଳିଆ କ୍ଷେତ୍ର ନାହିଁ
କ୍ଷେତ୍ର ଭଳିଆ କ୍ଷେତ୍ର ନାହିଁ
ଶ୍ରୀକ୍ଷେତ୍ର କ୍ଷେତ୍ର ଭଳିଆ
ଠାକୁର ଭଳିଆ ଠାକୁର ନାହିଁ
ଠାକୁର କାଳିଆ ଭଳିଆ।!୦!
ମନ୍ଦିର ଭଳିଆ ମନ୍ଦିର ନାହିଁ
ଶ୍ରୀମନ୍ଦିର ମନ୍ଦିର ଭଳିଆ
ବେଦୀ ଭଳିଆ ବେଦୀ ନାହିଁ
ରତନ ବେଦୀ ଭଳିଆ।
ଚକ୍ର ଭଳିଆ ଚକ୍ର ନାହିଁ
ନୀଳ ଚକ୍ର ଭଳିଆ
ପତାକା ଭଳିଆ ପତାକା ନାହିଁ
ପତିତପାବନ ଭଳିଆ।୧!
ବଜାର ଭଳିଆ ବଜାର ନାହିଁ
ଆନନ୍ଦ ବଜାର ଭଳିଆ
ପ୍ରସାଦ ଭଳିଆ ପ୍ରସାଦ ନାହିଁ
ମହା ପରସାଦ ଭଳିଆ।
ପାହାଚ ଭଳିଆ ପାହାଚ ନାହିଁ
ବାଇଶି ପାହାଚ ଭଳିଆ
ଦୁଆର ଭଳିଆ ଦୁଆର ନାହିଁ
ସିଂହଦ୍ବାର ଦ୍ବାର ଭଳିଆ।୨!
ରୂପ ଭଳିଆ ରୂପ ନାହଁ
ଅଧାଗଢ଼ା ରୂପ ଭଳିଆ
ଆଖି ଭଳିଆ ଆଖି ନାହିଁ
ଚକା ଚକା ଆଖି ଭଳିଆ।
ବେଶ ଭଳିଆ ବେଶ ନାହିଁ
ବେଶ ସୁନା ବେଶ ଭଳିଆ
ହସ ଭଳିଆ ହସ ନାହିଁ ତ
ଅଧା ଚାନ୍ଦ ହସ ଭଳିଆ।୩!
ମାଳ ଭଳିଆ ମାଳ ନାହିଁ
ଦୟଣା ମାଳ ଭଳିଆ
ଚୁଳ ଭଳିଆ ଚୁଳ ନାହିଁ
ତୁଳସୀ ଚୁଳ ଭଳିଆ।
ଗୀତ ଭଳିଆ ଗୀତ ନାହିଁ
ଗୀତ ଗୋବିନ୍ଦ ଭଳିଆ
ନାଚ ଭଳିଆ ନାଚ ନାହଁ
ପହଣ୍ଡି କଲା ଭଳିଆ।୪!
ସ୍ନାହାନ ଭଳିଆ ସ୍ନାହାନ ନାହିଁ
ସ୍ନାନ ବେଦୀ ସ୍ନାନ ଭଳିଆ
କୁଅ ଭଳିଆ କୁଅ ନାହିଁ
କୁଅ ସୁନା କୁଅ ଭଳିଆ।
ସେବକ ଭଳିଆ ସେବକ କାହିଁ
ଦଇତାପତି ଙ୍କ ଭଳିଆ
ଗୁପ୍ତ ସେବା ସେ କରିଥାଆନ୍ତି
ଅଣସର ସେବା ଭଳିଆ ।୫!
ଦାଣ୍ଡ ଭଳିଆ ଦାଣ୍ଡ ନାହିଁ
ବଡ଼ଦାଣ୍ଡ ଦାଣ୍ଡ ଭଳିଆ
ରଥ ଭଳିଆ ରଥ ନାହିଁ
ନନ୍ଦିଘୋଷ ରଥ ଭଳିଆ।
ଯାତ ଭଳିଆ ଯାତ ନାହିଁ
ରଥ ଯାତ ଯାତ ଭଳିଆ
ବନ୍ଧୁ ଭଳି ବନ୍ଧୁ ବନ୍ଧୁ ନାହିଁ ରେ
ଜଗବନ୍ଧୁ ବନ୍ଧୁ ଭଳିଆ।୬!
ମୁକୁଟ ଭଳିଆ ମୁକୁଟ ନାହିଁ
ମୁକୁଟ ଟାହିଆ ଭଳିଆ
ପହଁରା ଭଳିଆ ପହଁରା ନାହିଁ
ଛେରାପହଁରା ଭଳିଆ।
ଦଉଡ଼ି ଭଳିଆ ଦଉଡ଼ି ନାହିଁ
ରଥ ର ଦଉଡ଼ି ଭଳିଆ
ଡାହୁକ ଭଳିଆ ଡାହୁକ ନାହିଁ
ରଥ ରେ ଡାହୁକ ଭଳିଆ।୭!
ବାଲି ଭଳିଆ ତ ବାଲି ନାହିଁ ରେ
ଶରଦ୍ଧା ବାଲି ଭଳିଆ
ଗୁଣ୍ଡିଚା ମନ୍ଦିର ମନ୍ଦିର ସେତ
ଗୁପ୍ତ ବୃନ୍ଦାବନ ଭଳିଆ।
ରାସ ଭଳିଆ ତ ରାସ ନାହିଁ
ତହିଁ ଗୁପ୍ତ ରାସ ଭଳିଆ
ନଅଦିନ ପାଇଁ ରାସ ରଚଇ
ଆସି ତହିଁ ଜଗା କାଳିଆ।୮!
ପଣା ଭଳିଆ ପଣା ନାହିଁ
ଅଧର ପଣା ପଣା ଭଳିଆ
ଲକ୍ଷ୍ମୀ ନାରାୟଣ ଭେଟ ଭଳିଆ
ଭେଟ କାହିଁ ଦେଖିଛ ଆହା ।
କଜିଆ ଭଳିଆ କଜିଆ ନାହିଁ
ମାଆ ଙ୍କ କଳି ଭଳିଆ
କଥା କୁହାଳିଆ ଦିଅଁ କାହାଁନ୍ତି
କଳିଆ ଦିଅଁ ଭଳିଆ।୯।
ମିଠା ଭଳିଆ ତ ମିଠା ନାହିଁ ରେ
ରସ ରସଗୋଲା ଭଳିଆ
ମାଆ ଲକ୍ଷ୍ମୀଙ୍କୁତ ତୋଷ କରନ୍ତି
ଖୋଇଦେଇ ପ୍ରଭୁ କାଳିଆ।
ପାନ ଭଳିଆ ତ ପାନ ନାହିଁ ରେ
ବିଡିଆ ପାନ ଭଳିଆ
ପାନ ନଖାଇଲେ ରାତି ସାରା
ପାରେନି ଶୋଇ କାଳିଆ।୧୦!
ତୋରାଣି ଭଳିଆ ତୋରାଣି ନାହିଁ
ଟଙ୍କ ତୋରାଣି ଭଳିଆ
ପାଣି ଭଳିଆ ପାଣି ନାହଁ
ପାଦୁକ ପାଣି ଭଳିଆ।
ଧଣ୍ଡା ଭଳିଆ ଧଣ୍ଡା ନାହିଁ
ତୁଳସୀ ଧଣ୍ଡା ଭଳିଆ
ପଣ୍ଡା ଭଳିଆ ପଣ୍ଡା ନାହାନ୍ତି
ପଣ୍ଡା ବଡ ପଣ୍ଡା ଭଳିଆ!୧୧!
ତୀର୍ଥ ଭଳିଆ ତୀର୍ଥ ନାହିଁ
ତୀର୍ଥ ପଞ୍ଚ ତୀର୍ଥ ଭଳିଆ
ଅମୃତ ଭଳିଆ ଅମୃତ ନାହିଁ
ଅମୃତ ପଞ୍ଚାମୃତ ଭଳିଆ।
ପୋଖରୀ ଭଳିଆ ପୋଖରୀ ନାହିଁ
ନରେନ୍ଦ୍ର ପୋଖରୀ ଭଳିଆ
ସମୁଦ୍ର ଭଳିଆ ସମୁଦ୍ର ନାହଁ
ସେତ ମହୋଦଧି ଭଳିଆ।୧୨!
ଅଗଣା ଭଳିଆ ଅଗଣା ନାହିଁ
ପାଟ ଅଗଣା ଭଳିଆ
ମଣ୍ଡପ ଭଳିଆ ମଣ୍ଡପ ନାହିଁ
ନାଟ ମଣ୍ଡପ ଭଳିଆ।
ଗଛ ଭଳିଆ ଗଛ ନାହିଁ
କଳ୍ପ ବଟ ଗଛ ଭଳିଆ
ପାଚେରୀ ଭଳିଆ ପାଚେରୀ ନାହିଁ
ମେଘନାଦ ପାଚେରି ଭଳିଆ।୧୩!
ଦର୍ଶନ ଭଳିଆ ଦର୍ଶନ ନାହିଁ
ସାହାଣ ମେଲା ଭଳିଆ
ଭୋଗ ଭଳିଆ ଭୋଗ ନାହିଁ
ଛପନ ଭୋଗ ଭଳିଆ।
ସ୍ମସାନ ଭଳିଆ ସ୍ମସାନ ନାହିଁ
ସ୍ବର୍ଗ ଦ୍ବାର ଦ୍ବାର ଭଳିଆ
ଦୟା କରିବ ଜଳିବ ଯୁଇ
ସେଇଠି ମୋ ଆହେ କାଳିଆ !୧୪।
