କୃଷ୍ଣଚୂଡ଼ା
କୃଷ୍ଣଚୂଡ଼ା
ରଚୁଚି ତାଣ୍ଡବ ପ୍ରଚଣ୍ଡ ନିଦାଘ
ସାରା ରାଇଜ ଡହଳ ବିକଳ
ତାତିଲା ବାଲି ରେ ସର୍ବେ ଛଟପଟ
ତଥାପି ତାହାର ମନ ଚଞ୍ଚଳ।
ପକ୍ଷ ମେଲି ଦେଇ ପଡେ କୃଷ୍ଣଚୂଡ଼ା
ଶିରୀ ଦୀପ୍ତିମନ୍ତ ମନ ରସିଲା
ତଥାପି ହସୁଛି ବେଲଜ୍ୟା ପଣରେ
ଅନ୍ତର ତାହାର ବୁଝିଲେ ହେଲା।
ନିଦାଘ କି ତାକୁ ଲାଗୁଚି ଚନ୍ଦନ
ରକ୍ତବର୍ଣ୍ଣ ତାର କେଡେ ଝଲକ
ପୂର୍ଣ୍ଣ ସମର୍ପଣ ତା ଜୀବନ ଲକ୍ଷ୍ୟ
ବାଣ୍ଟି ଦେଇ ଯାଏ ପ୍ରୀତି ମହକ।
ତାତିଲା ସ୍ପର୍ଶକୁ କିଏ ପାଏ ଭଲ
ଶ୍ରାବଣକୁ କିଏ ନ ଚାହେଁ ସତେ
କିଏ ନ ଚାହୁଁଚି ମଧୁ ବସନ୍ତରେ
ନାଚିଯିବା ପାଇଁ ପ୍ରଣୟ ଗୀତେ।।
ତଥାପି ବୃନ୍ତରେ ହସେ କୃଷ୍ଣଚୂଡ଼ା
ଯାଉ ପଛେ ଜଳି ତା କଳେବର
ପ୍ରଗଲ୍ଭା ଦର୍ଶକେ କେଡେ ଆତ୍ମ ତୃପ୍ତି
ତହିଁରେ ଆନନ୍ଦ କୃଷ୍ଣଚୂଡ଼ାର।
ନିଜେ ଜଳି ଜଳି ଖୁସି ବାଣ୍ଟି ବାରେ
ଅଛି ପରା ସତେ ସ୍ୱର୍ଗୀୟ ଭାବ
ଏଇତ ଜୀବନ ଦି ଦିନିଆ ଖେଳ
ହସି ହସାଇଲେ ରାସ୍ତା ସରିବ।।
କି ମହତ ଶିକ୍ଷା ଦିଏ କୃଷ୍ଣଚୂଡ଼ା
ତା ଜୀବନ ଅର୍ଥ ବଡ଼ ନିଆରା
ତାତିଲା ସୁଅ ରେ ରଙ୍ଗାୟିତ ତନୁ
ଦୀପ୍ତିମନ୍ତ ଲାଗେ ତା ଲାଗି ଧରା।।