STORYMIRROR

Dhaneswar Dash

Inspirational

3  

Dhaneswar Dash

Inspirational

କର୍ମ ହିଁ ଧର୍ମ

କର୍ମ ହିଁ ଧର୍ମ

1 min
220

କର୍ମ ହିଁ ମହାନ କର୍ମ ଭଗବାନ

   ଜଗତରେ କର୍ମ ସାର, 

କର୍ମ ବିନା କେହି ରହି ପାରି ନାହିଁ

   କର୍ମରେ ଚଳେ ସଂସାର।

କର୍ମ କରିଯାଏ କିଛି ଯେ ନକହେ

    ସେ ଅଟଇ କର୍ମବୀର,

ନହୋଇ ବିମୁଖ କର୍ମେ ପାଏ ସୁଖ

    ସମାଜେ ଆଦର୍ଶ ସାର।

ଆଉ କିଛି ଲୋକ କର୍ମ କରିଲେକ

    କହନ୍ତି ବହୁତ କଥା,

ଶୁଣି ଶୁଣି ଲୋକ ହୁଅନ୍ତି ବିରକ୍ତ

   ବଢିଯାଏ ମୁଣ୍ଡ ବ୍ଯଥା।

ଆଉ କେହି କେହି ଖାଲି କହି କହି

   କିଛି ହିଁ କରନ୍ତି ନାହିଁ,

ଅନ୍ଯ କେ କରିବ ଥାଏ ଏହି ଭାବ

   ଦିନରାତି ଥା'ନ୍ତି ଚାହିଁ।

ତଥାପି ନକରି ଅନ୍ଯ ହାତେ କରି

   କାମ ସେ ଉଠାଇ ନିଏ,

ଯେ କରଇ କର୍ମ କରେ ପରିଶ୍ରମ

   ତା' ଶ୍ରମର ମୂଲ୍ଯ ଦିଏ।

ଅତି ଅଳସୁଆ କରମ କୋଢିଆ

   କିଛି ହିଁ କହନ୍ତି ନାହିଁ,

ଉଠିବା ତାଙ୍କର ଦଶମ ଚନ୍ଦର

   କିଛି ବି କରନ୍ତି ନାହିଁ।

ଲୋକକଥା ସାର ଏ ଚାରି ପ୍ରକାର

   ଲୋକ ଏହି ଦୁନିଆରେ,

ପ୍ରଥମ ମହାନ ଦ୍ଵିତୀୟ ଉତ୍ତମ

   ତୃତୀୟ ହିଁ ମଧ୍ୟମରେ।

ଚତୁର୍ଥ ଲୋକର ଜୀବନ ଅସାର

   ପର ହାତଟେକା ଚାହେଁ,

ଆଳସ୍ଯରେ ମାତି କରେ ଭିକ୍ଷା ବୃତ୍ତି

   ଅଧମ ମଣିଷ ସିଏ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational