କରିଲେ କଳି ବରା ପକୁଡ଼ି
କରିଲେ କଳି ବରା ପକୁଡ଼ି
କରିଲେ କଳି ବରା ପକୁଡ଼ି
ହୋଇଲେ ଧାରା ଧରି
ମାଡ଼ିଲା ଲଟା ସେହି କଳିଟା
ତୁଟିଲା ସବୁ ଶିରୀ ।
ବରା କହଇ ନିଶ ଫୁଲେଇ
ଆଦର ବେଶି ମୋତେ
କଞ୍ଚା ଲଙ୍କାଟେ ପିଆଜ ଗୋଟେ
ବିଟ ଲୁଣର ସାଥେ ।
ଶୁଣି ପକୁଡ଼ି ଛାଡ଼ଇ ରଡ଼ି
ଦେଖାନା ବାହାପିଆ
ଆଇଗିଣିଆ ତୋ ଵୋପା ମାଆ
ତୁହି ତାଙ୍କର ଛୁଆ ।
ବୁଟ ବେସନ ପିଆଜ ଲୁଣ
କଞ୍ଚା ଲଙ୍କା ମିଶାଇ
ଟମାଟୋ ସସ୍ ହୋଇଲେ ପଞ୍ଚ
ସୁଆଦେ କେହି ନାହିଁ ।
ବୁଢ଼ା ସିଙ୍ଗଡ଼ା ହୋଇଲା ଛିଡା
ହାତରେ ଧରି ତଡ଼ା
ପେଟଟି ମୋର ସବୁଠୁ ବଡ଼
ପୁଣି ମସଲା ପେଡା ।
>
ପିଆଜି କୁହେ ତା ଗୁଣ ମୁହେଁ
ସବୁଠୁ ସ୍ଵାଦ ମୁହିଁ
ଲୋଡା ନାହିଁ ତ ଲଙ୍କା ପିଆଜ
ଖୁସିରେ ଯାନ୍ତି ଖାଇ ।
ଝଗଡା ଦେଖି ମିଠାଟି ଆଖି
ମଳି ମଳିକା ଉଠେ
ଝଗଡା କାହିଁ କରୁଛ ଭାଇ
ଝଗଡାରେ କି ତୁଟେ ।
ଯାହାର ଯାହା ରୁଚିରେ ତାହା
ଆଦର ରହିଥାଏ
କିଏ ବା ମିଠା କିଏ ବା ଖଟା
କିଏ ଲୁଣିଆ ଖାଏ ।
ସରିବ ନାଟ ହୋଇବା ଭେଟ
ମଣିଷ ପେଟେ ଯାଇ
ହଜମ ହେବା ଘଡ଼ିକେ ଅବା
ହୁଡ଼ାରେ ଦେବ ଥୋଇ ।
କେଇ ଘଡିକି ଝଗଡା କରି
ମୁହଁ ଫୁଲାଅ କାହିଁ
କେତେ ବେଳେ କା ପାଳି ପଡ଼ିବ
ମଣିଷ ଦବ ଖାଇ ।