କ୍ରାନ୍ତି ର ଭାରତ
କ୍ରାନ୍ତି ର ଭାରତ
ସଦ୍ୟ ସ୍ଵାଧୀନତା ପ୍ରାପ୍ତି
ଭାରତର ଚିତ୍ର କଣ ଥିଲା ଏହିପରି?
ବରଂ ଥିଲା ତାହା
ବାତ୍ୟା ପରର ସକାଳ
ସବୁକିଛି ଛିନ୍ନଭିନ୍ନ
କେଉଁଠି ଅଛିଣ୍ଡା
ନଦ ନଦୀ ଭାଗବଣ୍ଟା
ଦେଶ ବିଭାଜନ
ଆଉ କାଶ୍ମୀର ସମସ୍ୟା
ନିସ୍ତାର ନିମନ୍ତେ
ତ୍ରାହି ତ୍ରାହି କରୁଥିଲା ।
ରାଜ ରାସ୍ତା ଧାରେ
ଭୋକିଲା ପେଟରେ
ଅଶିକ୍ଷା ଅନ୍ଧକାରେ
ଆଉ ଫୁଙ୍ଗୁଳା ଦେହରେ
ଗଳି ଗଳିରେ ଗରିବ
ଘୋର ଆର୍ଥିକ ଅଭାବ।
କ୍ରମେ କ୍ରମେ ହେଲା ପଲ୍ଲବିତ
ଗାଇ କ୍ରାନ୍ତିର ସଂଗୀତ
ଗଢାହେଲା
ଯୋଜନା ଆୟୋଗ,
ବ୍ୟାଙ୍କ ରାଷ୍ଟ୍ରୀୟ କରଣ
ଓ ସବୁଜ ବିପ୍ଳବ ।
ତେଜିଲା ସ୍ୱର
ଜୟ ଯବାନ ଆଉ ଜୟ କିଷାନ ର।
ଭାବନ୍ତୁ ତ ଥରେ
ଯଦି ତେଜି ନଥାନ୍ତେ କ୍ରାନ୍ତିକାରୀ
ଦେଇ ନଥାନ୍ତେ ପ୍ରାଣ ବଳି
ହୋଇ ନଥାନ୍ତା
ବାପୁ ଙ୍କ ସ୍ଵଦେଶ ଆଗମନ
ତିଳକଙ୍କ ସ୍ଵରାଜ ଆହ୍ୱାନ
ନେତାଜୀ ଆହ୍ଵାନେ
ଆଜାଦ ହିନ୍ଦ ଫୌଜ ଙ୍କ
ଦିଲ୍ଲୀ ଚଲ୍ଲୋ, ଦିଲ୍ଲୀ ଚଲ୍ଲୋ ।
୧୮୫୭ ଅବା ୧୯୪୨ର ହେଉ,
ସେଇ ବିପ୍ଳବ, ପ୍ରାଣବଳି
ସଂଘର୍ଷ ର ଢେଉ
ଛୋଟ ବଡ ସମ୍ମିଳନ
ଅନେକଙ୍କ ଅବଦାନ
ଦେଇଥିଲା ୧୯୪୭ର
ଅଗଷ୍ଟ ପନ୍ଦର ସକାଳ ।
ପରା ଛୋଟ ଛୋଟ ନଦୀ ମିଶି
ହୁଏ ପାରାବାର
ଏକ ଏକ ବୃକ୍ଷ
ସମାବେଶେ ହିଁ କାନନ ।
ଚାରା ସିନା ପାଣ୍ଡେ ଜୀ ରୋପିଲେ
ଲାଲା, ଭଗତ, ବାପୁ ଓ ନେତାଜୀ
ତାକୁ ଯତନେ ପାଳିଲେ
ଦଧିଚି ର ମନ ନେଇ
ଆଗକୁ ବଢିଲେ ।
ସାରା ବିଶ୍ଵେ ୧୯୫ଦେଶ
ଭାରତୀୟ ସବୁଥିରେ ଶୀର୍ଷ
ସବୁ ଜାତି, ସବୁ ଭୂଇଁ ପାଇଁ
ଆମ ଶ୍ରଦ୍ଧା, ସମ୍ମାନ ଅଶେଷ।
ଦୀପ୍ତି, ଉର୍ଜା, ସନାତନ ର,ଉତ୍କର୍ଷ।
ଅନନ୍ୟ, ଅତୁଳନୀୟ
ଏ ଭାରତ ବର୍ଷ ।
ବନିପାରେ ସାରା ପୃଥ୍ଵୀର ଆଦର୍ଶ
ଡରେନା ଏ ମାଟିର ସନ୍ତାନ
ସତ୍ୟାଗ୍ରହ କରିବାକୁ
ସତପଥ ବରିବାକୁ
ସତ୍ ଚିନ୍ତା ଚିନ୍ତିବାକୁ
ନିଅଣ୍ଟ ପଡେ ତାକୁ
ସମଗ୍ର ଆୟୁଷ ।
ଆମ ଦ୍ୱାରା କିଛି ହୋଇପାରେନା
ଏକଦମ୍ ଭ୍ରାନ୍ତି ଟିଏ,
ଭାରତରୁ ଚନ୍ଦ୍ର ଅଭିଯାନ
ତହିଁ ପରେ ଜଳର ସନ୍ଧାନ
ଗଣିତ ରେ ଯୋଡିଥିଲୁ
ଦଶମିକ ଓ ଶୂନ।
କଣ ଏସବୁ ଭିତ୍ତିହୀନ ?
ସାରା ବିଶ୍ଵେ ସୁଦୀର୍ଘ
ସଡକ ପଥ ହିଁ ଏଠାରେ,
କୌଟିଲ୍ୟ, ପାଣିନୀ,
ଚରକ ଆଦି ଧୀରେ
ଓଁ କାର ନିର୍ଘୋଷନ୍ତି ସାଧୁ ସନ୍ଥ
ଏ ମାଟିର ଅଶୋକ,
ଆମରି ଚନ୍ଦ୍ରଗୁପ୍ତ
ପୃଥୀରାଜ, ଛତ୍ରପତି
ଓ ରାଣାପ୍ରତାପ
ପ୍ରତ୍ୟେକ ବଳି ଏକକୁ ଆରେକ
ବିକାଶଶୀଳ ବୋଲି କହୁଥିଲ ପରା
ଏବେ ତାର ବିକାଶ କୁ ଦେଖ !
କେତେ ବଖାଣିବି ଆଉ
କଣ ହିସାବିବି
ଆଣ୍ଠୁ ଲୁଚୁ ନଥିବା ଫକୀର
ଇଂରେଜ ସହିତ ଟକ୍କର
ପରିଶେଷେ ଟିକା ବିଜୟର।
ଦିଲ୍ଲୀ ଚଲ୍ଲୋ ର ଡାକରା
ଅଦ୍ଭୁତ ତାଙ୍କ ଦୂରଦୃଷ୍ଟି
ଅନନ୍ୟ ବିଶ୍ୱ ଭାଇଚାରା।
ପ୍ରଚଣ୍ଡ ବାରି ପାତେ,
ଉତ୍ତପ୍ତ ନିଦାଘେ
ଆଉ କୋହଲା ଶୀତେ
ସୀମା ରେ ଜାଗ୍ରତ ପ୍ରହରୀ
ତାଙ୍କ ବଳିଦାନ ପାଇଁ ଦେଶ
କୋଣେ ଅନୁ କୋଣେ
ସ୍ଵାଧୀନ ଭାରତର
ଅମୃତ ମହୋତ୍ସବ ହୋରି ।
ସିଏ ତ ପୁରୁଣା ଦୃଷ୍ଟାନ୍ତ
ଅସ୍ତ୍ର ଧରିଲାଣି ଲିପଷ୍ଟିକ
ବୋଳୁଥିବା ହାତ,
ନାଶିବାକୁ ଦେଶର ବଇରୀ
ରଣାଙ୍ଗନେ ସୁ ପ୍ରସ୍ତୁତ
ଆମ ଦେଶ ସୁକୁମାରୀ !
ଅଖ୍ୟାତ ପଲ୍ଲୀ ର ବଣ ମଲ୍ଲୀ
ବନେ ଝରନ୍ତିନି,
ଯୋଗ୍ୟତା ବି ରହେ ତାଙ୍କ
ଧରିବାକୁ ଦେଶ ର
ସର୍ବୋଚ୍ଚ ଶାସନ ଡୋରୀ !
ଭିନ୍ନ ଭିନ୍ନ ଧର୍ମ, ଜାତି
ସମାବେଶ ସ୍ଥଳୀ ଇଏ,
ଶହେ ଚାଳିଶ କୋଟି ଭାରତୀୟ
ଏକ ତ୍ରିରଙ୍ଗା ତଳେ ମୁଣ୍ଡପାତି
ଜନ-ଗଣ-ମନ ଉଚ୍ଚାରିବା
ଲଘୁ କଥା ଟିଏ ?
ଅସମ୍ଭବ ବୋଲି ଯାହା ଆକ୍ଷେପ ହୁଏ ଦେଖ !
ପଞ୍ଚସ୍ତରୀ ବର୍ଷ ତଳ
ସୂତାକଟା ହାତ ଆଜି
ରୋବଟ ବନାଏ,ରକେଟ୍ ଉଡାଏ ।
ଦିନ କେବେ ଥିଲା
ଏ ମାଟିର ସନ୍ତାନ
ସଢୁଥିଲା ଭୋକେ ଶୋଷେ,
ଆଜି ଷାଠିଏ ହଜାର କୋଟି
ବିଦେଶୀ ମୁଦ୍ରା ଆମ ବିତ୍ତ କୋଷେ।
ପରିଶେଷେ,
ସ୍ୱାଧୀନତା ପଞ୍ଚସ୍ତରୀ ବର୍ଷ
ପୂର୍ତ୍ତି ର ଏ ପର୍ବ
ସ୍ୱାଧୀନତା ର ଅମୃତ ମହୋତ୍ସବ
ଏହିପରି ହେଉ
ଇତିହାସ ଓଲଟାଇ ଦେଖନ୍ତୁ ସଭିଏଁ
କ୍ରାନ୍ତିକାରୀ ଙ୍କ ସଂଗ୍ରାମୀ ଚେତନା,
ସ୍ୱର୍ଣ୍ଣିମ ସ୍ୱପ୍ନ ଓ ତ୍ୟାଗ ପୂର୍ଣ୍ଣ ଅନୁଭବ
ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଥିବ,
ସେମାନଙ୍କ ଆତ୍ମ ବଳିଦାନେ
ସ୍ଵପ୍ନର ଭାରତ ସଂକଳ୍ପ ରହିବ।
ଥିବ ସନାତନ ସଂସ୍କୃତି ର ଗାଥା
ଆଧୁନିକ ଭାରତ ଗଠନର ବାର୍ତ୍ତା।
କ୍ରାନ୍ତି ର ଚାରା ରୋପା ହେଉ
ପ୍ରତ୍ୟେକଙ୍କ ମନ, ହୃଦୟରେ
ଅକ୍ଷୟ, ଅମର ତ୍ରିରଙ୍ଗା ଉଡୁ
ପ୍ରତି ଘରେ ଘରେ ।
ସାତ ଦଶନ୍ଧି ତଳର ସ୍ୱପ୍ନ
ହେଉଅଛି ସତ,
ବିଶ୍ଵେ ଅଗ୍ରଣୀ ଆଜି
କ୍ରାନ୍ତିର ଭାରତ !
