STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

କମିବା ବଢିବା କଥା

କମିବା ବଢିବା କଥା

2 mins
325


ପରିବାର ଆଜି କମିକମି ଗଲା 

  ଲୋକ ସଂଖ୍ୟା ଗଲା ବଢ଼ି,

ସମ୍ପର୍କର ମିଠା ଭାବ କମିଗଲା

   ରାଗ ଦ୍ୱେଷ ଗଲା ଚଢି।

ବଢ଼ିଗଲା ସିନା ଅଟ୍ଟାଳିକା ସଂଖ୍ୟା

   ଏଣେ‌ କମିଗଲା ବଣ,

କମିକମି ଗଲେ ବନ୍ଯ‌ ଜୀବଜନ୍ତୁ

   ବଢିଲା‌ ନେତାଙ୍କ ଧନ।

କୁଲର ଫ୍ଯାନ୍‌ ଏସି‌ ବି ବଢିଲା

    ନିଦ କିନ୍ତୁ କମିଗଲା,

ଡିଜିଟାଲ ରାଜ୍ ସିନା ବଢ଼ିଗଲା

    ଭାଷାଜ୍ଞାନ କମିଗଲା।

ମାଟି ମାଆ ମୁହଁ ଲୁଚିଗଲା ଯାହା

   ବଢ଼ିଛି ଢଳେଇ‌ ରାସ୍ତା ,

ପାଲା ଦାଶକାଠି ଲୁଚିଲେ କୋଉଠି

   ବଢ଼ୁଛି ନଗ୍ନ ତାମସା।

ଘଣ୍ଟା ସାଇକେଲ ରେଡ଼ିଓ କମିଛି

   ବଢିଅଛି ସ୍ମାର୍ଟ୍ ଫୋନ୍,

ଚାରିଚକିଆର ପେଁ ପାଁ‌ ଶବ୍ଦ

   ଫଟେଇ‌ ଦେଉଛି କାନ।

କମିଅଛି ସରକାରୀ ବିଦ୍ୟା ପାଠ 

   ବଢ଼ିଅଛି ପ୍ରାଇଭେଟ,

ଓଡ଼ିଆ ଭାଷାର ଚାହିଦା କମୁଛି ‌

   ବଢ଼େ ଇଂରାଜୀ ମହତ।

ସ୍ନେହ ଶ୍ରଦ୍ଧା ଯାହା କମିଯାଇଅଛି‌

   ବଢିଗଲା ଖାଲି ସ୍ଵାର୍ଥ,

ପରିବାର ଖର୍ଚ୍ଚ ବଢ଼ି ବଢ଼ି ଯାଏ

   ନିଅଣ୍ଟିଆ ଖାଲି‌ ଅର୍ଥ।

ବୟସଟା‌ ଯେତେ ବଢୁଥାଉ‌ ପଛେ

   ପୋଷାକ ହେଉଛି ଛୋଟ,

ମୁଣ୍ଡର ଓଢ଼ଣୀ ଖସି ପଡିଲାଣି

   ସମାଜ ହେଲାଣି ନଷ୍ଟ।

କମିଗଲା ଲାଜ ସରମ‌ ନମ୍ରତା

   ଫାଜିଲାମି‌ ଗଲା ବଢ଼ି,

ସତକଥା କୁହା ଲୋକ କମିଗଲେ

   ବଢିଗଲା ଜୁଆ‌ ଚୋରୀ।

ସଭ୍ୟତା ସଂସ୍କୃତି ହୋଇଗଲା ସ୍ମୃତି

    ପାଶ୍ଚାତ୍ୟ ପଶିଲା ଠେଲି,

ମାନ ସମ୍ମାନକୁ ତେଜ୍ଯା କରିଲେଣି‌

    ବଢିଲାଣି‌ ଗପ ଗୁଲି‌।

ଘର ଖାଦ୍ୟ ଆଉ ଦେହେ ଯାଉନାହିଁ

    ପିଜା ବରଗଡ ଖାଉ,

ପଖାଳ ତୋରାଣି କମି ତ ଗଲାଣି

    ଫାଷ୍ଟଫୁଡ୍ ବଢେ ଭାଉ।

ବହିପଢା‌ ପାଠ କମି କମି ଯାଏ

    ଅନ୍‌ଲାଇନ ଶିକ୍ଷା ବଢେ,

ଭାଇ ଭ‌ଉଣୀର ସମ୍ପର୍କ କମୁଛି

    ଭିଡ଼ ଜମୁଛି ପାର୍କରେ ।

ବାପା ବୋଉ ଡାକ ଶୁଭୁନାହିଁ ବେଶୀ

    ଶୁଭୁଥାଏ ଡାଡି‌ ମମି,

ପ୍ରସ୍ତାବିତ ବିଭା କମି ଯାଏ କିନ୍ତୁ

    ଲଭ୍‌ମ୍ୟାରେଜ୍‌ ବଢିଲାଣି।

ପାଦ ଚଲାବୁଲା ହ୍ରାସ ପାଉଅଛି

    ବଢ଼େ ପେଟ୍ରୋଲ ଦ‌ଅର ,

ମାଟି ହାଣ୍ଡି ଚୁଲି ଖତ ଖାଇଲେଣି

    ବଢ଼ୁଛି ଗ୍ୟାସ୍ ‌ପାଓ୍ଵାର‌।

କଂସା, ପିତ୍ତଳ କି ତମ୍ବାର ବାସନ

    କାରବାର କମିଗଲା,

ଷ୍ଟିଇଲ୍ ପ୍ଲାଷ୍ଟିକ ପଲିଥିନ୍ ଜରି

    ଖାଲି ଆବଶ୍ୟକ ହେଲା।

ଭାଗବତ ଟୁଙ୍ଗୀ କ୍ଲବ୍ ପାଲଟିଛି

    ଡିଜେ‌ ଶୁଣିବାକୁ ମନ,

ଆଜି ଦୁଧ ଦାମ୍ ଥାଉ ପଛେ କମ୍ 

    ମଦୁଆ ପାଏ ସମ୍ମାନ।

ଅତିଥି ଆଚାର ଭାର କି ବେଭାର

    କମିଗଲା ପୁଣି ଆଜି,

ଫୋନ୍ ପେ ଆଉ ଗୁଗୁଲୁ ପେଏରେ‌

    ଦୁନିଆଁ ଗଲାଣି ମଜ୍ଜି‌।

କମିଗଲା ଏଠି ଯେତେ ମଣିଷତ୍ଵ

    ବଢିଗଲା ଅହଂକାର,

ଅନ୍ୟକୁ ସାହାଯ୍ୟ ପରିବର୍ତ୍ତେ ବଢେ

   ଲୁଣ୍ଠନ ଓ ବ୍ୟଭିଚାର।

କମିଗଲା ଆଜି ବାପା ମାଆ ଭକ୍ତି 

   ବଢିଲା ଶଶୁର ପ୍ରୀତି,

ଭାଇ ଠାରୁ ଶଳା ବେଶୀ ଦରକାରୀ

   ଆସୁ ନାହିଁ ଆଉ ଚିଠି।

ଟେନ୍‌ସନ ବଢ଼ିଲା ଶାନ୍ତି କମିଗଲା

   ମଶା ସଂଖ୍ୟା ଗଲା ବଢ଼ି,

ଧରମକୁ‌ ଆଖି ଠାର ମାରିମାରି‌

   ବାବା କଲେ ମନ ଚୋରୀ।

କମିଗଲା ଚାଳ ଛପର ଘର ତ

   ପକ୍କାଘର ସଂଖ୍ୟା ବଢ଼େ,

ଭଲ ପାଇବାର ସ୍ପୃହା କମିଯାଏ

    ପ୍ରତାରଣା ଯାହା ମିଳେ।

ଏମିତି ତ କିଛି କମିବ ବଢିବ

    ସମୟର ନିର୍ଦ୍ଦେଶନା,

କିନ୍ତୁ ମୋ କାଳିଆ ସେ ସବୁଦିନିଆ

    ଚବିଶି କ୍ଯାରେଟ‌ ସୁନା।

ସବୁ ବଢ଼ି ଯାଏ ସବୁ କମିଯାଏ

    ସମୟ କି କମେ ବଢ଼େ,

ବାପା ମାଆ ଗୁରୁ ମହିମାରୁ ଊଣା

    କେବେ ହୁଏନି ସଂସାରେ।

ଯେତିକି ସେତିକି ମଣିଷର ହାଡ଼

    କମେନାହିଁ ‌ବଢେ ନାହିଁ,

ନନ୍ଦିଘୋଷେକାଠଊଣାବେଶୀ ହେଲେ

    କାଳିଆ ଚଢ଼ିବ ‌ନାହିଁ। 



Rate this content
Log in

Similar oriya poem from Comedy