କଳ୍ପନା କବିର
କଳ୍ପନା କବିର
କଳ୍ପନାର ତୂଳୀ କଲମର କାଳୀ
କବିତା ଲେଖେ ମୋହର ।
କଣ୍ଠରେ ବସି ଯା କହନ୍ତି ଭାରତୀ
ସେଇ ତାଙ୍କ ଗଳାହାର ।
କଳ୍ପନା ରାଇଜେ କେତେ ମୁଁ ବୁଲିଲି
ନିରାଶ ହେଲି ଶେଷରେ ।
କରୁଣା କରିଲେ ବାକ୍ଯଦେବୀ ଯେବେ
ଗାଇଲି ତାଙ୍କ ରାଗରେ ।
ତାଳ ଲୟ ଛନ୍ଦ ସବୁ ତ ତାଙ୍କର
ରାଗ ରାଗିଣୀ ତାଙ୍କର ।
ତାଙ୍କ ପଦେ ମତି ରଖି ଯାଏ ମାତି
ତାଙ୍କର ମୁଁ ସେ ତ ମୋର ।
କବି କଳପନା କାହୁଁ ବିକଶିବ
ବିନା ଭାରତୀ କୃପାରେ ।
ପ୍ରଥମ ବନ୍ଦନା କରେ ଜନନୀଙ୍କୁ
ଯେବେ ମୁଁ କଲମ ଧରେ ।
କଳ୍ପନା ରାଜ୍ୟରେ ବୁଲି ମୁଁ ମଜାରେ
କଳ୍ପନା ବିଳାସ ଦେଖେ ।
କଣ୍ଠରେ ବସି ଯା କହୁଥାନ୍ତି ମାତା
କାଗଜ କଲମେ ଲେଖେ ।
ଚିହ୍ନରା ଗ୍ରାହକ ଚିହ୍ନିଲେ ତାହାକୁ
ଆଦର ବଢଇ ତାର ।
ମନରେ କାହିଁକି ଭାବନା କରିବି
କଲେ କେହି ହତାଦର ।
ଅପାର କାବ୍ୟର ସଂସାରରେ ସିନା
କବି ଏକ ପ୍ରଜାପତି ।
କଳ୍ପନା ରାଇଜ କିପରି ଦିଶିବ
କୃପା ନକଲେ ଭାରତୀ ?
ଯେତେଦିନ ମାତା କୃପା କରୁଥିବେ
ତାଙ୍କରି ସେବାରେ ରହି ।
ଧନ୍ୟ ମଣୁଥିବି ଜୀବନକୁ ମୋର
ଆନ କିଛି ଲୋଡା ନାହିଁ ।
