କଳଙ୍କିତ ଅତୀତ
କଳଙ୍କିତ ଅତୀତ


ମନେପଡେ ବିତି ଯାଇଥିବା ଅତୀତ
ବ୍ୟଥା ଦିଏ କଟା କ୍ଷତ
ବାଧ୍ୟ କରେ ବର୍ତ୍ତମାନ ଭୁଲିବାକୁ
ପୁରୁଣା ସାଇତା ଇତିହାସ ।
ନୀରବରେ ସବୁ କିଛି ଅଭିଯୋଗ
ପୁଣି ନିରୁପାୟ ଭାବ
ଟାଣିବାକୁ ଲାଗେ ପଛକୁ ଆହୁରି ପଛକୁ
ଦେଖେଇ ଦିଏ ଅଭୁଲା ଦାଗ ।
ଯେଉଁ ସ୍ମୃତିକୁ ମାଟିତଳେ ସମାଧି ଦେଇ
ଚାଲି ଆସିଥିଲି ବହୁ ଆଗକୁ
କିଛି ଅନୁଭୂତି ପାଉଁଶ ଭିତରୁ ଖୋଳିବାକୁ ଲାଗେ
ଦିଗ୍ ଦିଗ୍ ଜଳୁଥିବା ନିଆଁକୁ ।
ସ୍ଵପ୍ନ ଆନମନା ହୋଇ ଶୋଇଯାଏ
ଅନ୍ଧାର ରାତିର କୋଳରେ
ଆଉ ପଲଟିଯାଏ ନିର୍ଭୁଲ ସତ୍ୟ କାହାଣୀ
ଆଉ କାହା ପାଖରେ ।
କଳଙ୍କିତ ରୂପର ଅଧ୍ୟାୟ ସାଂଖ୍ୟଯୋଗ
କଳୁଷିତ
କରିପାରେ ବର୍ତ୍ତମାନକୁ
ବୋଧେ କିଛି କଥା ଅଧା ରହିବାକୁ ପଡେ ଆଉ କିଛି
ସ୍ବପ୍ନ କାହାଣୀରେ ପଡେ ବୁଡେଇ ରଖିବାକୁ ।
ଭାବନାକୁ ଆୟତ୍ତ କରିବାର ପ୍ରୟାସ ଭିତରେ
ପାଗଳ ହେବାର ବାହାନା
ନିଜ ମନ ଧୋକା ଦିଏ ପୁଣି କିଛି ଭୁଲିବାକୁ
ବାଧ୍ୟ କରେ ପ୍ରତାରଣା ।
ଯୁଗ ଯୁଗ ସାକ୍ଷୀ ରହିବ କିନ୍ତୁ ପ୍ରମାଣିତ ହେବନି
ଅସଜଡା ଶୂନ୍ୟ ଅତୀତ ଇତିହାସ
ଆଜିବି ଜାବୁଡ଼ି ଧରିବାର ଅଭିଳାଷ ଭିତରେ
ମୋତେ ଦେଖା ଦିଏ ମୋ ଶୂନ୍ୟ ହାତ ।
ବର୍ତ୍ତମାନ ଭିତରେ ଭବିଷ୍ୟତ ଗଣନା
ବଦଳାଇପାରେ ଅନାଗତ ଭବିଷ୍ୟ
କିନ୍ତୁ ସ୍ବପ୍ନ ଆଉ କାହାଣୀ ଭିତରେ ଅଣନିଃଶ୍ବାସୀ
ହୋଇ ଝୁରି ମରେ କଳଙ୍କିତ ଅତୀତ ।