କଳଙ୍କିନୀ
କଳଙ୍କିନୀ
ବୃଷଭାନୁ ସୁତା
ବରଜ ବନୀତା
ଗୋପପୁର ଗୋପାଳୁଣୀ ,
ରାଧା ରାଧା ରାଧା
ବଇଁଶୀ ବାଜିଲା
ରାଧା ହେଲା କଳଙ୍କିନୀ ।
ରାତିରେ ଯାଇନି
ରତି ବି ଚାହିଁନିି
ପ୍ରୀତିରେ ଯା ପାଗିଳିନୀ ,
ପ୍ରୀତିବି ତ ତାର
ନଥିଲା ଦୈହିକ
ତଥାପି ସେ କଳଙ୍କିନୀ ।
ଚନ୍ଦ୍ରମା ହସେ
କଳଙ୍କ ପିନ୍ଧିକି
ସରସୀରେ ଦେଖି କୁମୁଦିନୀ ,
ଚନ୍ଦ୍ରସେଣା ଚନ୍ଦ୍ରେ
ନଲାଗୁ କଳଙ୍କ
ରାଧା ହେଲା ନିଜେ କଳଙ୍କିନୀ ।
ସହି ସଙ୍ଗାତରେ
ଯମୁନା ଘାଟରେ
ମେଳି ହୋନ୍ତି ସବୁ ଗୋପାଳୁଣୀ ,
ସଭିଏଁ ଶୁଣନ୍ତି
କାହ୍ନୁ ବଂଶୀ ସ୍ବନ
ରାଧା ହେଲା ଏକା କଳଙ୍କିନୀ ।
କାହ୍ନୁ ତ ଭଣଜା
କେମିତି ଦରଜା
ଆଉଜି ଦିଅନ୍ତା ଜାଣି ଶୁଣି ,
ପ୍ରୀତିରେ କଳଙ୍କ
ନଲଗାନ୍ତୁ ଲୋକ
ଡାକିଲେ ଡାକନ୍ତୁ କଳଙ୍କିନୀ ।
ଲୋକେ ତ କହିବେ
କହି ହେଉ ଥିବେ
ସୀତା ମାତାଙ୍କୁ ବି ଛାଡ଼ିଲେନି ,
ପାରିଲାନି ସହି
ବସୁମାତା ମହୀ
କୋଳେ ଟାଣି ନେଲେ କଳଙ୍କିନୀ ।
ଲକ୍ଷେ ବ୍ରାହ୍ମଣକୁ
ଗୋଟିଏ ଭଣଜା
ମିଥ୍ୟା ନୁହେଁ ଏହା ଶାସ୍ତ୍ର ବାଣୀ,
ଭଣଜାରେ ପ୍ରୀତି
ବୈକୁଣ୍ଠ ପ୍ରାପତି
ହେଲେ ହେଉ ରାଧା କଳଙ୍କିନୀ ।
ପରୀକ୍ଷା ବି ଦେଲା
ଜଳ ଘେନି ଗଲା
କଣା କଳସୀରେ କଳଙ୍କିନୀ ,
ନଝରେ ଟୋପାଏ
ଜଳକା ଗୋପିଏ
ପ୍ରତିଟି କଣାରେ ଥିଲେ ବେଣୁପାଣି ।
ହସୁ ଥିଲେ ରାଇ ବିନୋଦିନୀ ।