କଳଙ୍କ
କଳଙ୍କ


ଭଲ ଗୁଣ ଯେତେ ମ୍ଳାନ ପଡ଼ିଯାଏ
ଟିକିଏ କଳଙ୍କ ପାଇଁ
ଚରିତ୍ର ସ୍ଖଳନ ହେବାକୁ ଦେବାନି
ଅସତ ପଥରେ ଧାଇଁ ।
ଚରିତ୍ର ହେଉଛି ଅମୂଲ୍ୟ ସଂପଦ
ରଖିଥିବା ସଦା ସିତ
ମନ କାଗଜକୁ କଳଙ୍କ କାଳିରେ
କରିବାନି କଳୁଷିତ ।
କଳଙ୍କିତ ହେବା ସହଜ ସୁନ୍ଦର
ନିଷ୍କଳଙ୍କ ହେବା କଷ୍ଟ
ଧନର ପ୍ରାଚୁର୍ଯ୍ୟ ବାଟବଣା କରେ
ମଣିଷ ହୁଅଇ ନଷ୍ଟ ।
ଜୀବନ ବହିରେ ଦାଗ ଲାଗିଗଲେ
ସହଜେ ଲିଭେନି ଆଉ
ସାଧୁତା,ସଂଯମ ସତ୍ୟନିଷ୍ଠା ବଳେ
ଜଳୁଥାଏ ଦାଉଦାଉ ।
ସଜ୍ଜନ ସଂଗତି କହୁଥାଏ ନିତି
ମାର୍ଜିତ ଆଦର୍ଶ ବାଣୀ
ଈଶ୍ବର ବିଶ୍ବାସ ଆଧ୍ୟାତ୍ମିକ ଭାବ
ସତ୍ୟ ପଥେ ନିଏ ଟାଣି ।