କଳ୍କୀ ଅବତାର
କଳ୍କୀ ଅବତାର
ମାଳିକା ବଚନ ନହୋଇବ ଆନ
ପ୍ରଭୁ କଳ୍କୀ ଅବତାରରେ,
କଳି ଯୁଗ ପୂର୍ଣ୍ଣ ହେବ ସମାପନ
ସଂହାରିବେ ସେ ଖଣ୍ଡାରେ।
କଳା ଧଳା ଘୋଡା ଚଢି ବାହାରିବେ
ବଳଭଦ୍ର ଜଗନ୍ନାଥ,
ପ୍ରଦକ୍ଷଣ କରି ନିପାତ କରିବେ
ଖଣ୍ଡା ଧରି ବାର ହାତ।
ପାପର ବିନାଶ ନିଶ୍ଚୟ ହୋଇବ
ଧର୍ମ ହେବ ସଂସ୍ଥାପନ,
କଳି ଯୁଗ ଶେଷ ସତ୍ୟ ଯେ ଆଗତ
ଫେରିବ ଦିନେ ସୁଦିନ।
ମେଦିନୀର ଭାର ଉଣା କରିବାକୁ
ଧରି ଶେଷ ଅବତାର,
ଚତୁର୍ବେଦ ପରେ ଅନ୍ୟ ଏକ ବେଦ
ଶିଶୁ ବେଦର ଉଚାର।
ଓଙ୍କାର ବେଦରେ କଳିକାଳ ଶେଷ
ଦଶାବତାର ଧାରଣ,
କୃଷ୍ଣ ବଳରାମ ରାମ ଓ ଲକ୍ଷ୍ମଣ
ସେହି କଳ୍କୀ ସଂହାରଣ।
ନୂତନ ସର୍ଜନା କରିବେ ଏ
ସୃଷ୍ଟି
ପୁରାତନ କରି ଶେଷ,
ଯୁଗ ଅବସାନ ପ୍ରଳୟେ ବିଲୀନ
ରହିବ ଧ୍ଵଂସାବଶେଷ।
ପୁରାଣରେ ଲେଖା ରହିଛି ବର୍ଣ୍ଣନା
ଯା'ଘଟିବ ଅଘଟଣ,
କଳ୍କୀ ଅବତାର ନମୁନା ତାହାର
ଛତିଆବଟ ପ୍ରମାଣ।
ବିରଜା କ୍ଷେତ୍ରରେ ଜନ୍ମ ନେବେ ପ୍ରଭୁ
ମାଳିକା ଦିଏ ଆଭାସ,
କଳ୍କୀ ଅବତାର ଧାରଣ କରିବେ
କଳିଯୁଗ ହେବ ଶେଷ।
ଯୁଗେ ଯୁଗେ ପ୍ରଭୁ କରି ଆସିଛନ୍ତି
ସତ୍ୟ ଧର୍ମ ସଂସ୍ଥାପନ,
ଅଧର୍ମ ଅନ୍ୟାୟ ପ୍ରତିରୋଧ ପାଇଁ
ଅବତାରର ଧାରଣ।
କରୁଣା ସାଗର କରୁଣା କରିବେ
ହଟିବ ବିଷମ ସ୍ଥିତି,
ସତ୍ୟ ନ୍ୟାୟ ଧର୍ମେ ଚାଲିବ ସଂସାର
ସତ୍ୟଯୁଗର ଉତ୍ପତ୍ତି।