STORYMIRROR

Writer Roja Panda

Inspirational

4  

Writer Roja Panda

Inspirational

କଳିଯୁଗ ଚଉତିଶା

କଳିଯୁଗ ଚଉତିଶା

2 mins
343


କି ସୁନ୍ଦର ରୂପ ତୋର ,ଚିତ୍ରପଟ ପ୍ରାୟ

କି ପାଇଁ ସଜାଉ ସତ୍ୟ ନଜାଣି ତୁ ହାୟ ।୧।

ଖିରି ପିଠା ଖାଉ ନୀତି ପିନ୍ଧୁ ନୂଆ ବସ୍ତ୍ର

କ୍ଷୀରରେ ଗାଧୋଉ ପୁଣି ଧରୁ ଅସ୍ତ୍ରଶସ୍ତ୍ର ।୨।

ଗୀତା ଭଳି ଗ୍ରନ୍ଥକୁ ତୁ ଅଣଦେଖା କରୁ

ଗିରି ଗୋବର୍ଦ୍ଧନ ନାମ ତୁଣ୍ଡେ ତୁ ନଧରୁ ।୩।

ଘିଅ ,ମହୁ ଖାଇ ନୀତି ଆନନ୍ଦରେ ଶୋଉ

ଘିରି ଘିରି ହେଇ ସାରା ଘର ବୁଲୁଥାଉ ।୪।

ଉଆଁସୀ ରାତିରେ କରୁ ଚୋରି ଆନ ଘରେ

ଉଇଁଲେ ସୁରୁଜ ଫେରୁ ନିଜ ଉଆସରେ ।୫।

ଚିରି,ଫାଡ଼ି ଛେଳି,ମେଣ୍ଢା ଆନନ୍ଦରେ ଖାଉ

ଚିକ୍କଣ କରିଣ ଡାହା ମିଛ କହୁଥାଉ ।୬।

ଛିର୍ଣ୍ଣ କରୁ କା ମସ୍ତକ ନିଜ କ୍ରୋଧ ବଳେ

ଛିଣ୍ଡେ କେତେ ଯେ ସମ୍ପର୍କ ତୋପାଇଁ ଅକାଳେ ।୭।

ଜିତିବା ଆଶାରେ ସଦା ନିଜ ପାଖେ ହାରୁ

ଜୀର୍ଣ୍ଣ ଲୋକ ଠାରେ କେବେ ଦୟା ତୁ ନକରୁ ।୮।

ଝିଅଟିଏ ଦେଖି ନିଜ ବସେ ତୁ ନରହୁ

ଝିମିଟ ଭଳି ତାହାକୁ ଝୁଣି ଖାଇଯାଉ ।୯।

ନୀତି ଦେଉ ଭାରିଯାକୁ ଗୋଇଠା ପ୍ରହାର

ନିର୍ଲଜଙ୍କ ପରି ବୁଲୁ ତୁ ବାର ଦୁଆର ।୧୦।

ଟିକିଏ ଖୁସି ପାଇଁକି ଧରମ ଭୁଲିଣ

ଟିକି ଟିକି ଝିଅଙ୍କୁ ତୁ କରୁଛୁ ହରଣ ।୧୧।

ଠିକ୍ ଭୁଲ୍ ନଜାଣି ତୁ କରୁ ଅପକର୍ମ

ଠିକେ କହୁଅଛି ଜପକର ରାମନାମ ।୧୨।

ଡିଙ୍ଗୁରା ବାଡେଇ ନିଜ ପ୍ରଚାର କରୁଛୁ

ଡିବିରି ଆଲୁଅ ଦେଖି ଭୟରେ ଥରୁଛୁ ।୧୩।

ଢିଅବାଡ଼ି ବିକି ତୁହି ଜୁଆ ଖେଳୁଅଛୁ

ଢ଼ିପ ଖାଲ ନଦେଖିଣ ବାଟ ତୁ ଚାଲୁଛୁ ।୧୪।

ଆଣିନାହୁଁ କିଛି ତୁହି ଜନମ ବେଳରେ

ଅଣିକାଠି ଯାହା ଶେଷ ମଶାଣି ଭୁଇଁରେ ।୧୫।

ତିଥି ,ବାର ଦେଖେନାହିଁ ମରଣ ଦେବତା

ତୀର୍ଥ ,ବ୍ରତରେ ଟିକିଏ ମନ ତୁ ଦେଉଥା ।୧୬।

ଥିରି ଥିରି ଝଡ଼ିବୁ ଶୁଖିଲା ପତ୍ର ପରି

ଥିଲା କି ନଥିଲା ସବୁ ଯିବେ ରେ ପାସୋରି ।୧୭।

ଦିନ ଦଶ ଗୋଟିକରେ ତତେ ଭୁଲି ଯିବେ

ଦିଘଡ଼ି କାନ୍ଦିଣ ପୁଣି ଲୁହ ପୋଛି ଦେବେ ।୧୮।

ଧୀରେ ଧୀରେ ସ୍ମୃତି ତୋର ଉଭେଇଣ ଯିବ

ଧିମେଇ ଜଳି ଶେଷରେ ଦୀପ ତୋ ଲିଭିବ ।୧୯।

ନିଶ୍ୱାସ ଛାଡ଼ିଲେ ଥରେ ଶରୀରରୁ ତୋର

ନିସ୍ୱ ହେଇ ପଡିଥିବୁ ନିରିଯିବ ତୁଲ ।୨୦।   

ପିତା,ପୁତ୍ର ସବୁ ତତେ ଭୁତ ଯେ ଭାବିବେ

ପିତୁଳା,ମୋଉଳା ଯେତେ ଦେହ କିଳାଇବେ ।୨୧।

ଫିକା ପଡିଯିବ ତୋର ଚିତ୍ର ଓ ଚରିତ୍ର

ଫିଙ୍ଗିଦେବେ ଯେତେ ତୋର ଆସଵାବପତ୍ର ।୨୨।

ବିନତି କରୁଛି ତତେ ରଖ ମୋର କଥା

ବିଶ୍ୱାସ କରିଣ ରାମନାମ କୁ ଜପୁଥା ।୨୩।

ଭିତରେ ଗୋଟାଏ ରୂପ ବାହାରେ ଗୋଟାଏ

ଭିଆଇଛୁ କେତେ ଯାହା ଗଣି ତ ନହୁଏ ।୨୪।

ମିଶି କ୍ରୁର ଲୋକ ସଙ୍ଗେ କରୁ ଅପକର୍ମ

ମିଛ କହି,ପାପ କରି ସାରୁଛୁ ଧରମ ।୨୫।

ଯିବୁ ଯେବେ ଯମପୁର ଆଉ ନଫେରିବୁ

ଜୀବିକା ,ଜୀବନ ସବୁ ପଛରେ ଛାଡ଼ିବୁ ।୨୬।

ରୀତି ନୀତି ଭୁଲି ନିଜ କୁଳ ନାଶ କଲୁ

ରିହାତି ଲୋଭରେ କନ୍ୟା ଅନ୍ୟ ହାତେ ଦେଲୁ ।୨୭।

ଲୀନ ହେଇଯିବୁ ବାବୁ ପାଉଁଶ ଗଦାରେ 

ଲିପିପୋଛି ପକାଇବେ ଗୋବର ଦୁଆରେ ।୨୮।

ବିଧିର ବିଧାନ ଏତ ହେବନାହିଁ ଆନ

ବିଷ୍ଣୁଙ୍କ ନାମକୁ ଏବେ ଜପୁଥାରେ ମନ ।୨୯।

ଶିରେ ପାପ ଭାର ଧରି କେତେ ତୁ ଚାଲିବୁ

ଶିଉଳି ବାଟରେ ମୁହଁ ମାଡି ପଡ଼ିଯିବୁ ।୩୦।

ଶିତୁଆ ସକାଳ ପରି ଦେହ ତୋ ଥରିବ

ଶିଳପୁଆ ପରି ସେ ଯେ ଭୂମିରେ ଗଡ଼ିବ ।୩୧।

ସିଂହ ପରି ତେଜ ତୋର ମାଟିରେ ମିଶିବ

ସିନ୍ଥି ରୁ କା ଅଚାନକେ ସିନ୍ଦୁର ଲିଭିବ ।୩୨।

ହୀରା ପରି ଚମକୁଛି ତୋ ଚନ୍ଦ୍ର ବଦନ

ହୀନ ଶାଗୁଣା ଝୁଣିବ ଦେଖିବୁରେ ଧନ ।୩୩।

କ୍ଷୀଣ ହେଲେ ତୋ ଶରୀର,ପଡ଼ିଯିବୁ ଟଳି

କ୍ଷିତିପତିଙ୍କ ପାଖକୁ ଆତ୍ମା ଯିବ ଫେରି ।୩୪।



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational