କ୍ଳାନ୍ତ ପଥିକ
କ୍ଳାନ୍ତ ପଥିକ
ଜୀବନର ଚଲାପଥେ ଚାଲୁ ଚାଲୁ
ପଥଶ୍ରାନ୍ତ କ୍ଳାନ୍ତ ହୋଇ ପଡେ ପଥିକ
ଖୋଜି ଖୋଜି କାହାର ଏକ ଛାୟାତଳ
ଅବଶ ବିବଶ ହୋଇ ପଡେ
ଶରୀରର କାର୍ଯ୍ୟରତ ଅବୟବ ଯାକ।
ମୁହୂର୍ତ୍ତଟିଏ ବିଶ୍ରାମ ନେବାକୁ ହୁଏ ବ୍ୟାକୁଳ
ପାଏନା କାହିଁ ଏକ ଭରସାର ଗଛ
ପରିପୂର୍ଣ୍ଣତାର ଡାଳରେ ଭରିଥିବ ତାର
ସବୁଜ ସୁନ୍ଦର ପତ୍ର ଗହଳ।
ଏଠି ସବୁ ଗଛ ତ ଶିରାଳ ଶିରାଳ
ଅସମୟର ଝଡବାତ୍ୟାରେ ପତ୍ରଝଡା ଦେଇ
କଙ୍କାଳ ଦିଶେ ତାର ରୁକ୍ଷ ମଳିନ ଚେହେରା
ଅଭାବ ଅନାଟନର ଦାରୁଣ ନିଦାଘ
ବ୍ୟତିବ୍ୟସ୍ତ କରିପକାଏ ମାନସିକ ତାପ
ଭାବନା ସବୁ ରହିଯାଏ ଅଧୁରା।
ସବୁଗଛ ଦେଖି ଲାଗେ କଣ୍ଟା କଣ୍ଟା
ପୃଷ୍ଠଭୂମିରେ ତାର ପଡିଛି ଜାଲର ନକ୍ସା
ହୃଦୟ ଆକାଶରୁ ଝରେ ନାହିଁ କାହାର
ଅନୁକମ୍ପାର ଅସରାଏ ବରଷା।
ବସନ୍ତ ଆସିବାର ସମ୍ଭାବନାରେ ଥୁଣ୍ଟାଗଛ
ପଲ୍ଲବିତ ହେବାକୁ ଦେଖୁଥାଏ ସପନ
ବସନ୍ତ କାହିଁ ? ପଥ ତାର ଅବରୁଦ୍ଧ
ଆଷାଢ ସରି କି ଆସିଛି ଶ୍ରାବଣ
ଶଙ୍କା ସନ୍ଦେହର ବହେ ଅସହିଷ୍ଣୁ ପବନ।
ସଂକଟାପନ୍ନ ପ୍ରାଣକୁ ଜାବୁଡି ଧରି
ଭାସି ଚାଲିଛି ଗଣସ୍ରୋତର ପ୍ରବଳ ଜୁଆରରେ
ନିଜକୁ ଉଦ୍ଧାର କରି ସୁରକ୍ଷା ଦେବାକୁ ଚାହେଁ
ମତ୍ତଗର୍ବେ ଫାଟି ପଡ଼ି ନିଜ ଅହଂକାରରେ।
ଏ କ୍ଳାନ୍ତି ତାର ହୁଏନା ତିଳେ ବି ଲାଘବ
କ୍ଳାନ୍ତ ଶରୀରକୁ ନେଇ କରେ ଯା' ଯୋଜନା
ମାନସିକ ଦ୍ଵନ୍ଦରେ ପଥେ ହୁଏ ସଂଜ୍ଞାହୀନ
ନିର୍ଦ୍ଦିଷ୍ଟ ଦୂରତା ଅତିକ୍ରମ କରିବା ପୂର୍ବରୁ
ପରିସମାପ୍ତି ହୁଏ ତାର ପାର୍ଥିବ ସମ୍ମୋହନ।
ଜୀବନର ଚଲାପଥ ଭାରି ସଂକଟ ଦୁର୍ଗମ
ପାଦେ ପାଦେ ବିପଦର ସଂକେତ
ପଥିକ ଥିଲେ ହୁସିଆର ଆଉ ସଚେତନ
ଟାଳି ପ୍ରତିବନ୍ଧକ ଲକ୍ଷ୍ୟେ ତାର ହୁଏ ଉପଗତ।
