କଳା ଠାକୁର
କଳା ଠାକୁର


ଚିନ୍ତା ଚେତନାର ଆରାଧ୍ୟ ଦେବତା
ହେ ମୋର କଳା ଠାକୁର
ପ୍ରେମ ଭକ୍ତି ଭାବ ଆବେଗର ତୁମେ
ଏକମାତ୍ର ହିଁ ଆଧାର ।।
ତୁମେ ସୃଷ୍ଟି ସ୍ଥିତି ପ୍ରଳୟ ପୟୋଧି
କାଳର ଯେ ମହାକାଳ
ତୁମେ ଦୀନବନ୍ଧୁ ଦୀନ ଜନ ପ୍ରାଣ
କୋଟି ଜନ ମନ ମୁଳ ।।
ତୁମେ ମହାକାବ୍ୟ ଶିଳ୍ପୀର ଚାତୁରୀ
ତୁମେ ବ୍ୟକ୍ତ ଓ ଅବ୍ୟକ୍ତ
ରୁପ ଅରୁପର ଅଭେଦ୍ୟ ରହସ୍ୟ
ତୁମେ ତଥ୍ୟ ତୁମେ ତତ୍ତ୍ୱ ।।
ସତ୍ତ୍ୱ ରଜ ତମ ତ୍ରିବିଜେ ପ୍ରକଟ
ପିତାମ୍ବର ପୀତବାସ
କାଇଞ୍ଚ ମାଳିଆ ଶ୍ରୀଶିଖ ଚୁଳିଆ
ଭକତିରେ ହୁଅ ବସ ।।
କୋଟି ଜୀବନର ଆଧାର ହେ ପ୍ରଭୁ
ତୁମେ ଏକା ହିଁ ଆଧେୟ
ଧ୍ୟାନ ଧାରଣା ଓ ସାଧନ ହିଁ ତୁମେ
ତୁମେ ସାଧ୍ୟ ଓ ସ୍ୱାଧ୍ୟାୟ ।।
ତୁମେ କୁଣ୍ଡଳିନୀ ସହସ୍ରାର ତୁମେ
ସୁଷୁମ୍ନା ଧାରେ ଆଧାର
ତନ୍ତ୍ର ଜ୍ଞାନ ଯୋଗ ପ୍ରେମ ପାରାବାରେ
ତୁମେ ହିଁ ଯୁଗ ଈଶ୍ୱର ।।
ପଦ୍ମାଳୟା କାନ୍ତ ଉତ୍କଳ ସାଆନ୍ତ
ବିଶ୍ବାଧାର ବିଶ୍ବାତୀତ
ମାୟାତୀତ ଦ୍ୱନ୍ଦାତୀତ ଆହେ ପ୍ରଭୁ
ତୁମେ ତ୍ରିଗୁଣ ଅତୀତ ।।
ଭକତ ବତ୍ସଳ ଭକତ ବାନ୍ଧବ
ନାମ ବହିଅଛ ଧରି
ଜଗତ ଜୀଵନ ମୋହାନ୍ଧେ ପୀଡିତ
କର ହେ ସଂସାରୁ ପାରି ।।
କେତେ ପାପୀ ତାପୀ ଅଜ୍ଞାନୀ ଜଣଙ୍କୁ
ଉଦ୍ଧାରି ଅଛ ଆପଣ
ପତିତପାବନ ତୁମ କୃପା ବଳେ
ଘୁଞ୍ଚୁ ଜଗତ କଷଣ ।।
ହେ କଳା ଠାକୁର ଚକା ଆଖି ଧାରେ
ଦେଖୁଥାଅ ଦିବାନିଶି
ରିପୁ ବିକାରାଦି ଘୋର ତମସାର
ଦୂର କରୁ ତୁମ ଶଶୀ ।।