କିଏ ବସିଥାଏ ଚାହିଁ
କିଏ ବସିଥାଏ ଚାହିଁ
ନଦୀରେ
ତୋତେ କିଏ ବସିଥାଏ ଚାହିଁ
ବେଗି ବେଗି ତୁହି ଯାଉଥାଉ ବହି
ଦିନ ନାହିଁ ରାତି ନାହିଁ ।।
ଫୁଲରେ
ତୋତେ କିଏ ବସିଥାଏ ଚାହିଁ
ସକାଳୁ ସକାଳୁ ମୁହଁ ତୁ ପଖାଳୁ
କା' ମୁହଁ ଦେଖିବା ପାଇଁ ।।
ଦିନରେ
ତୋତେ କିଏ ବସିଥାଏ ଚାହିଁ
ଅନ୍ଧାର ଆଡ଼େଇ ଗୀତ ଗାଇ ଗାଇ
ଚାଲିଆସୁ ଧାଇଁ ଧାଇଁ ।।
ମେଘରେ
ତୋତେ କିଏ ବସିଥାଏ ଚାହିଁ
ଝର ଝର ହୋଇ ଝରିପଡୁ ତୁହି
ବେଳ ଅବେଳ ତୋ ନାହିଁ ।।
ପକ୍ଷୀରେ
ତୋତେ କିଏ ବସିଥାଏ ଚାହିଁ
ଡେଣା ଝାଡ଼ି ଝାଡ଼ି ଯାଉଥାଉ ଉଡ଼ି
କାହାକୁ ଭେଟିବା ପାଇଁ ।।
ଢେଉରେ
ତୋତେ କିଏ ବସିଥାଏ ଚାହିଁ
ପାଉ ତୁ କାହାକୁ ସାଗର କୂଳକୁ
ଆସୁ ବାରବାର ଧାଇଁ ।।
ଶୀତରେ
ତୋତେ କିଏ ବସିଥାଏ ଚାହିଁ
ହିମ ବାଆ ଧରି ଆସୁ ଥିରି ଥିରି
ଆସିବାରେ ଡେରି ନାହିଁ ।।
କୁହରେ
କୁହ ଜାଣିବି ମୁଁ ଜାଣିନାହିଁ
ଦିଅ ମୋତେ କହି କୁନି ପିଲା ମୁହିଁ
କିଏ ବସିଥାଏ ଚାହିଁ ।।
