କିଛି ସମ୍ଭାବନାକୁ ନେଇ......
କିଛି ସମ୍ଭାବନାକୁ ନେଇ......
କିଛି ସମ୍ଭାବନାକୁ ନେଇ
ଆଖିରେ ଭରିଯାଏ ଅସୁମାରୀ ସ୍ବପ୍ନ
ମନ ମନ୍ଥନରେ ଜାଗେ ଉତ୍କଷ୍ଠା
ହୃଦୟ ପାରାବାରେ ନାଚେ ତରଙ୍ଗ
ଆଶା ପାଲଟି ଯାଇ ଜୁଆର
ଛୁଟିଯାଏ ଦୁର୍ବାର ଗତିରେ
ଚୁମିବାକୁ ସଫଳତାର ବେଳାଭୂଇଁକୁ
ଜୀବନର ପ୍ରବାହ ଚାଲେ ଅହରହ
କିଛି ସମ୍ଭାବନାକୁ ନେଇ
ଅଣାୟାତ୍ତ ସମୟର ଆହ୍ବାନରେ
ଜାଗ୍ରତ ହୁଏ ଚେତନା
ଭାବନାରେ ମଜ୍ଜିଲେ ଆସେ ଚିନ୍ତା
କିଛି ହୁଏ ସାକାର କିଛି ରହେ ଅଧୁରା
ହାରିବା ଜିତିବାର ଲୁଚକାଳି ଖେଳ ପରି
ଦିଏ କୌତୁକ ଅବା କରେ ଭାରାକ୍ରାନ୍ତ
ଋତୁଚକ୍ର ପରି ଚାଲିଥାଏ କ୍ରମଧାରା
କିଛି ସମ୍ଭାବନାକୁ ନେଇ
କେବେ ହୁଏ ପାଦପର ପତ୍ରଝଡ଼ା
ଦିଶେ ଶ୍ରୀହୀନ ରୁକ୍ଷ ଶୀତଳ ଛାଇ ଶୂନ୍ୟ
ତା' ଶାଖା ପ୍ରଶାଖା ଲାଗେ ନୀରସ ନିସ୍ତେଜ
କିନ୍ତୁ ହରାଏନା ସେ ତା' ଆତ୍ମବିଶ୍ଵାସ
ପୁଣି ନୂଆ ନୂଆ ପତ୍ର କଅଁଳେ
ଆସେ ଋତୁରାଜ ବସନ୍ତ
ଚହଟେ ଫଗୁଣ ଫୁଲର ସମ୍ଭାରରେ
କିଛି ସମ୍ଭାବନାକୁ ନେଇ
ଦାରୁଣ ନିଦାଘର ଯନ୍ତ୍ରଣା ଅପସରେ
ଆକାଶରୁ ଝରି ପଡ଼ିଲେ ବର୍ଷା
ନୁଖୁରା କଠିନ ମାଟି ବତୁରି ଯାଏ
ହସି ଉଠେ ନାନା ଜାତିର ସବୁଜିମା
ପ୍ରକୃତିର ଶୋଭାଶ୍ରୀ ହୁଏ ରୂପାନ୍ତରିତ
ରଙ୍ଗମଞ୍ଚର ଦୃଶ୍ୟ ପରି ହୁଏ ଦୃଶ୍ୟାନ୍ତର
ହସ ଲୁହର ଆବେଗକୁ ପ୍ରାଣେ ଭରି
କିଛି ସମ୍ଭାବନାକୁ ନେଇ
ସମ୍ଭାବନା ପରେ ଆସେ ସମ୍ଭାବନା
ସରେ ନାହିଁ ଚିନ୍ତା ଭାବନା କି ପରିକଳ୍ପନା
ବିଡମ୍ବନାର ବିଫଳତା କରାଏ ସଜାଗ
ଉଦ୍ୟମକୁ ଜାରି ରଖିବା ପାଇଁ
ଯୋଗାଏ ଇନ୍ଧନ ଦିଏ ଉତ୍ସାହ ପ୍ରେରଣା
ଲକ୍ଷ୍ୟପଥରେ ରଖିଥିଲେ ଏକାଗ୍ରତାର ଧ୍ୟାନ
ଆଶା ହୁଏ ପୂରଣ ମିଳେ ସାର୍ଥକତା
କିଛି ସମ୍ଭାବନାକୁ ନେଇ ।
