କିଛି ଶେଷ କଥା
କିଛି ଶେଷ କଥା
କିଛି ଶେଷ କଥା, ବୁଝିବାକୁ ଲୋଡ଼ା ହୃଦୟ
ବୁଝିପାରେ କିଏ, ହୋଇଥିଲେ ସହୃଦୟ ।
କିଛି ଶେଷ କଥା ହୋଇପାରେ ଟିକେ ଆଶା
ପୂରଣ ହୋଇଲେ ଛାଡିଯାଏ ସବୁ ନିଶା ।
କିଛି ଶେଷ କଥା ହୁଏ ନାହିଁ ପୂରଣ
ଜୀବନ ଗଣିତ ଭାରି ଅଡୁଆ ହରଣ ଫେଡ଼ାଣ ।
କିଛି ଶେଷ କଥା ଲାଖିରହିଯାଏ ଓଠରେ
କିଛି ଶେଷ କଥା ଚାପି ହୋଇ ଥାଏ ମନରେ ।
କିଛି ଶେଷ କଥା ଶୀତ ସକାଳର କୁହୁଡି
କିଛି ଶେଷ କଥା ହୃଦୟ ମନରେ ଥାଏ ଯେ ପଡି ।
କିଛି ଶେଷ କଥା ରହିଯାଏ କାହା ଜୀବନେ
କିଛି ଶେଷ କଥା ଲୁହ ହୋଇଯାଏ ଦହନେ ।
କିଛି ଶେଷ କଥା ସମର୍ପି ଜଗାଙ୍କୁ ସାର୍ଥକ
ମାଗୁଣି ରକ୍ଷକ, ସେହି ଚକାଆଖି ଏକା ନାୟକ ।
କିଛି ଶେଷ କଥା କହିଦେଇଥିଲେ ଜଗାଙ୍କୁ
ଦୁନିଆଁ ରେ ଆଉ ଡର ଭୟ ପୁଣି କାହାକୁ ।
ମୋ ଶେଷ କଥା ଅନ୍ତରେ ନରଖି କହୁଛି
ଶାଶ୍ୱତ ଭାବନା ସମର୍ପଣ ଭାବ ଚିହ୍ନିଛି ।
ସେହି ଦୟାମୟ ହରି, ବିଶ୍ଵନିୟନ୍ତାଙ୍କୁ ଧ୍ୟାନ କରି
ସତ୍ୟ ନ୍ୟାୟ ଧର୍ମ ପଥ ଏ ଜୀବନେ ଅନୁସରି ।
ଦୟା କ୍ଷମା ସରଳତା ଫୁଲ ଆତ୍ମା ବଗିଚାରେ ଫୁଟୁ ଥାଉ
ସେହି ଦୟାମୟ ପାଖେ ପାଖେ ଥିବେ, ସେ ପରା ମହାବାହୁ ।
ହାତଯୋଡ଼ି କହେ ପରମ ପିତାଙ୍କୁ ଶେଷ କଥା
ଜନମ ଦେଇଛ କରମ ବି ଦିଅ ଭାଗ୍ୟ ଵିଧାତା ।
ସକଳ ଆଖିରେ ନ ଆସୁ କେବେ ଦୁଃଖ ଲୁହ
ବହିଯାଉ ଗଙ୍ଗା ଯମୁନାର ପରିପୂର୍ଣ୍ଣତା ଭରା ମୋହ l
