STORYMIRROR

Sambit Srikumar

Abstract Inspirational

4  

Sambit Srikumar

Abstract Inspirational

କିଛି ବି ବଦଳିନି

କିଛି ବି ବଦଳିନି

1 min
328

ତୁମେ କେମିତି ପାରୁଛ କହି 

ମୁଁ ବଦଳି ଗଲିଣି ବୋଲି?

ମୁଁ ତ ଗାଁ ତୁମରି ସବୁରି ମାଆ

ସିଏ କଣ କେବେ ବଦଳି ପାରେ?


ତୁମେ ତ ରୂପସୀର ଚାକଚକ୍ୟରେ 

ଅଭିଭୂତ ହୋଇ କାହିଁ କେତେ କାଳରୁ 

ମୋତେ କରି ଦେଇଛ ପର

ଆସି ଥରେ ଦେଖ ତ ମୁଁ ଯେଉଁଠି ଥିଲି 

ଯେମିତି ଥିଲି ସେଇଠି ସେମିତି ଅଛି

ତୁମେ କହୁଛ କଣ ନା ମୁଁ ବଦଳି ଯାଇଛି। 


ହଁ ଅବଶ୍ୟ ସମୟ ସୁଅରେ 

ମୋ ଦାଣ୍ଡଟା ଯାହା ପକ୍କା ହୋଇଛି

ଠାଏ ଠାଏ ବିଜୁଳି ବତୀ ବି ଜଳୁଛି

ଆଜି ବି ଭାଗବତ ଟୁଙ୍ଗୀରେ ହରିବୋଲ ଶୁଭୁଛି

ଚଉରା ମୂଳରେ ସଞ୍ଜ ବତୀ ଜଳୁଛି

ହରିନାମ ସଂକୀର୍ତ୍ତନ ବି ହେଉଛି

ଦୋଳ ଦଶହରା ପାଳନ ହେଉଛି 

ଚାଷୀପୁଅ ଜମିରେ ହଳ କରୁଛି 

ନଦୀଟା ସେମିତି ବହି ଚାଲିଛି

ପବନ ମନ୍ଦ ମନ୍ଦ ବହୁଛି 

ବଣ ପାହାଡ଼ ସତେଜ ସବୁଜ ରହିଛନ୍ତି 

ସୂର୍ଯ୍ୟ ଚନ୍ଦ୍ର ଆତଯାତ ହେଉଛନ୍ତି 

ପକ୍ଷୀମାନେ ଆନନ୍ଦରେ ଗୀତ ଗାଉଛନ୍ତି

ଋତୁମାନେ ସମୟରେ ଆସୁଛନ୍ତି। 


ମୁଁ ତ କିଛି ବି ବଦଳିନି କାଣିଚାଏ ବି ନୁହେଁ

ଯାହା ବଦଳି ଯାଇଛି ତୁମେମାନେ 

ତୁମର ମାନସିକତା 

ତୁମର ତୁମ ମାଆ ପ୍ରତି ମମତା

ନିଜ ଜନ୍ମ କରିଥିବା ମାଆ ବି 

ତ ତୁମ ନିଜର ହେଲାନି

ମୁଁ ବା କୋଉ ହେବି ମୁଁ ତ ପୁଣି ଗାଁ। 


ଥରେ ଚିନ୍ତା କରି କୁହ ତ 

ଗାଁରେ କୂଟ କପଟ ରାଜନୀତି ହେଲେ 

ଗାଁରେ ଗଣ୍ଡଗୋଳ ହଣାକଟା ହେଲେ 

ଗାଁ ଦୋମେଳି ଭାଇ ଭାଇ ଅପଡ ହେଲେ 

ଗାଁର ବା ସେଥିରେ କଣ ଥାଏ? 

ଗାଁ ତ ସବୁରି ପାଇଁକି ମାଆ 

ତୁମ ଭାଇମାନଙ୍କ ସର୍ବଗ୍ରାସୀ 

ସ୍ବଭାବ କଣ ତୁମକୁ ଅଜଣା? 

ମୋତେ ଯାହା ନିନ୍ଦୁଛ ତୁଛାରେ

ଅପବାଦ ଦେଉଛ ଆପଣା ସ୍ବାର୍ଥରେ। 


ହଁ କାଳେ କେଉଁ ଦିନ 

ତୁମେ ସବୁ ଫେରି ଆସିବ 

ତୁମ ଉତ୍ତର ପୀଢ଼ି ସହିତ ବୋଲି 

ତୁମ ରୂପସୀ ସହର ପରିକା 

ଯାହା ଟିକିଏ ସଜ୍ଜେଇ ହୋଇଛି

ବହଳ କାଦୁଅ ଦାଣ୍ଡଟା ପକ୍କା ହୋଇଛି 

ମଟର ଗାଡି ଘୁଁ ଘୁଁ କରି ଗଡୁଛି 

ବାହ୍ଯ ମଳ ମୁତ୍ର ମୁକ୍ତ ହୋଇଛି

ମହମହ ଖାଲି ବାସୁଛି

ଅପନ୍ତରା ଅନ୍ଧାରୀ ମୂଲକରୁ 

ସାମାନ୍ୟ ସୁନ୍ଦରୀ ପାଲଟି ଯାଇଛି। 


ଏଇଟାକୁ ଦେଖି କଣ କହୁଛ ନା 

ଗାଁଟା ତୁମର ବଦଳି ଯାଇଛି

ପୋଷାକ ବଦଳିଗଲେ ମନ କି ବଦଳି ଯାଏ?

ପିଲାମାନେ ବଦଳି ଗଲେ ବି 

ମାଆ ସେମିତି ମାଆ ହୋଇ ରହିଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract