କିବା ଲାଭ ପାଠ ପଢ଼ିଲେ
କିବା ଲାଭ ପାଠ ପଢ଼ିଲେ
ଯଦି ଆଲୋକ ଟୋପାଏ ନାହିଁ
କିବା ଲାଭ ଆଖି ଖୋଲିଲେ
ଯଦି ନାହିଁ ସୁମଧୁର ସୁର
କିବା ଲାଭ ଗୀତ ବୋଲିଲେ ।
ଯଦି ରୂପ,ରଙ୍ଗ, ବାସ ନାହିଁ
କିବା ଲାଭ ଫୁଲ ଫୁଟିଲେ
ଯଦି ନାହିଁ କେହି ଆସପାଶ
କିବା ଲାଭ ବାସ ଛୁଟିଲେ ।
ଯଦି ଭୂଇଁ ହେବନାହିଁ ଓଦା
କିବା ଲାଭ ମେଘ ପଡ଼ିଲେ
ଯଦି ନାହିଁ ସୁଆଦିଆ ରସ
କିବା ଲାଭ ଫଳ ଝଡ଼ିଲେ ।
ଯଦି ଶୀତଳ ପରଶ ନାହିଁ
କିବା ଲାଭ ବାଆ ବହିଲେ
ଯଦି ନାହିଁ ଭାବ,ଅନୁଭବ
କିବା ଲାଭ କଥା କହିଲେ ।
ଯଦି ନାହିଁ ହସ,ଖୁସି, ମଜା
କିବା ଲାଭ ପାଶେ ବସିଲେ
ଯଦି ଅନୁକୂଳ ନାହିଁ ପାଗ
କିବା ଲାଭ ଜମି ଚଷିଲେ ।
ଯଦି ନାହିଁ କେହି ପଢ଼ିବାକୁ
କିବା ଲାଭ ଗପ ଲେଖିଲେ
ଯଦି ଶିଖିବାକୁ ନାହିଁ ମନ
କିବା ଲାଭ ସବୁ ଦେଖିଲେ ।
ଯଦି ନାହିଁ ସାଙ୍ଗ ସାଥୀ ମେଳ
କିବା ଲାଭ ଦୋଳି ଝୁଲିଲେ
ଯଦି ଦେଖିବାକୁ ନାହିଁ ଇଚ୍ଛା
କିବା ଲାଭ ଦେଶ ବୁଲିଲେ ।
ଯଦି ନାହିଁ ନୀତି, ଅଧିକାର
କିବା ଲାଭ ଦେଶ ଗଢ଼ିଲେ
ଯଦି ମଣିଷପଣିଆ ନାହିଁ
କିବା ଲାଭ ପାଠ ପଢ଼ିଲେ ।