କି ହେବ ଅବା କେତେ ବୁଝାଇଲେ
କି ହେବ ଅବା କେତେ ବୁଝାଇଲେ
ମିଲିଟାରୀ ଚାକିରୀ ସାରିଦେଇ ଅଜା,
ରହୁଛନ୍ତି ଏବେ ଘରେ,
ଘରେ ସମସ୍ତଙ୍କ ଚଳଣି ଦେଖିଣ,
ହାତ ଦେଲେ ସେ ମୁଣ୍ଡରେ |
ସାନଠାରୁ ବଡ଼ ସଭିଏଁ ମଡ଼ର୍ଣ୍ଣ,
କେହି ମାନେନା କା କଥା,
କି ହେବ, ଅବା କେତେ ବୁଝାଇଲେ,
ଘୁରିଯିବ ସିନା ମଥା |
ସାନ ନାତିଟିଏ ତିନି ବର୍ଷ ହେଲା,
ଡାକିଲେ କହୁଛି ଚୁପ,
ସବୁବେଳେ ଖାଲି ମୋବାଇଲ ଧରି,
ଦେଖୁଅଛି ଫେସବୁକ |
ବାପାମାଆ ବୋଲି ନାହିଁ ତା ଖାତିରି,
ନିଜ ଇଛାରେ ସେ ଚାଲେ,
କି ହେବ ଅବା କେତେ ବୁଝାଇଲେ,
ଏ ନବୀନ ଯୁଗର ପିଲେ |
ଘରକୁ କେହି ବି ଅତିଥି ଆସିଲେ,
ପାଣି ଢାଳ ଆଗେ ନେଇ,
ନାହିଁ ନମସ୍କାର, ହାଲୋ ହାଏ କହି,
ଦିଅନ୍ତି ଘରେ ପୁରାଇ |
ଲେମ୍ବୁପାଣି, ଚାହା ଘରେ ହୁଏନାହିଁ,
ହୋଟେଲରୁ ମଗାଇଲେ,
କି ହେବ ଅବା କେତେ ବୁଝାଇଲେ,
ଅତିଥି ତ ଖୁସି ହେଲେ |
ବୋହୂଟିଏ ଘରେ ଦେଖା ଯାଆନ୍ତିନି,
ମଥାରେ ଓଢଣୀ ଦେଇ,
ଓଢଣୀ କି ଦେବେ ଶାଢ଼ୀ ପିନ୍ଧନ୍ତିନି,
ଡ୍ରେସ ପିନ୍ଧି ବୁଲୁଥାଇ |
ମାଆର ପଣତ ବୁଝିପାରେ ନାହିଁ,
ଆଜିର ମଡ଼ର୍ଣ୍ଣ ଛୁଆ,
କି ହେବ ଅବା କେତେ ବୁଝାଇଲେ,
ଲୁଗା ପିନ୍ଧିବନି ମାଆ |
ବିଦ୍ୟାଳୟ ଏବେ ଭେଳା ଭେଳା ପୁଣି,
ଯାଉଛନ୍ତି ବହୁପିଲେ,
ପାଠଶାଠ, ଗୁରୁଭକ୍ତି ଛାଡ଼ିଦେଇ,
ମନ ଇଚ୍ଛା ଯାହା କଲେ |
ଟିଭିରେ କାର୍ଟୁନ, ମୋବାଇଲ ଖେଳ,
ମାଆ ଦେଖେ ସିରିଏଲ,
କି ହେବ ଅବା କେତେ ବୁଝାଇଲେ,
ଲାଗେ ସବୁ ଗୋଳମାଳ |
ବାପା ମାଆ ଡାକ ଭୁଲିଗଲେଣି ସେ,
ଡାକି ଡାକି ମମି ଡାଡି,
ବୃଦ୍ଧକାଳେ ସେବା କରିପାରନ୍ତିନି,
ଦେଇ ବୃଦ୍ଧାଶ୍ରମେ ଛାଡି |
ନିଜେ ବାପାମାଆ ହୋଇଗଲା ପରେ,
ଭୁଲନ୍ତି ବାପାମାଆଙ୍କୁ,
କି ହେବ ଅବା କେତେ ବୁଝାଇଲେ,
ଭାଳି ନିଜ କପାଳକୁ |