STORYMIRROR

DR PRASANTA KUMAR BISWAL

Classics Inspirational Children

3  

DR PRASANTA KUMAR BISWAL

Classics Inspirational Children

ଖୋଜିବାରେ ଆନନ୍ଦ

ଖୋଜିବାରେ ଆନନ୍ଦ

1 min
212


ଖୋଜିବାରେ ଯେତେ  ଆନନ୍ଦ ଲଭଇ

     ପ୍ରାପ୍ତିରେ ମିଳଇ ନାହିଁ,

ଯେତେ ବ୍ୟାକୁଳତା   ଅଭାବେ ଦେଖଇ

    ଐଶ୍ଵର୍ଯ୍ୟେ ସମ୍ଭବ କାହିଁ ।1

ଝୁରିବାରେ ଯେତେ    ପୀରତି ମଧୁର 

    ମିଳନେ ନଥାଏ କେବେ,

ପ୍ରକୃତ ପ୍ରେମର     ଗଭୀରତା କେତେ

    ଝଲସି ଉଠେ ଅଭାବେ।2

ସଞରୁ ସକାଳ      ହୁଅଇ ବିକଳ

    ଏକାନ୍ତେ ତୁମକୁ ଖୋଜେ,

ବିଜନ ବେଳାରେ   ଭେଟିବା ପାଇଁକି 

     ପ୍ରେମ ଭକ୍ତିରେ ମଜେ।3

ତୁମରି ଅଭାବେ    ହୃଦୟ ବେଦୀକୁ

     ସଜାଏ ପ୍ରେମ ଡୋରିରେ,

ମାନସ ବେଦୀରେ   ଆରୁଢ କରାଇ

     ପୂଜଇ ଭକ୍ତି ରସରେ।4

କେବେତ ଆସିବ    ମନ ମୋ ରସିବ

    ଆଗ୍ନେୟ ବିଶ୍ବାସ ମୋର,

କିସ ଅବା ଦେବି    କିପରି ପୂଜିବି

    ସାରା ସଂସାର ତୁମର ।5

ତୁମ ପରସାଦ     ତୁମକୁ ଅର୍ପିଲେ 

      ଦୋଷହେବ ମହାବାହୁ,

ଦେବି ଦେବି ବୋଲି  କେତେ ମୁଁ ଭଣ୍ଡିଛି

      ଜମା ଠକିବିନି ଆଉ।6

ସାଇତି ରଖିଛି     ଭାବର ଭକତି

      ତୁମ ପାଦେ ଅରପିବି,

ଲୁହ ତ ନିଜର     ଅତି ଆପଣାର

     ପାଦ ତବ ପଖାଳିବି ।7

କେତେ ଯେ ଅନ୍ଧାର   ମୋ ମନ ମନ୍ଦିର

    କେବେ ପ୍ରକାଶିତ ହେବ?

ଉଭା ହୁଅ ବାରେ   ହୃଦୟ ବେଦୀରେ

    କୃପାକର ହେ ମାଧବ।8

ଅଭାବରେ ସଦା    ରଖିବ ଗୋସାଇଁ 

    ଝୁରିବି ମୁଁ ରାତି ଦିନ ,

ଦୀନର ବାନ୍ଧବ    ହେ କଳାମାଧବ 

    ଚରଣେ ତୁମ ଶରଣ।9



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics