କହିବନି କେବେ
କହିବନି କେବେ
କହିବନି କେବେ କାହାକୁ ସହଜେ
ହୃଦୟଟେ ଅଛି ତୁମ ଭିତରେ ,
କ୍ଷତାକ୍ତର ଲହୁ ନିଗାଡ଼ିବା ପାଇଁ
ସହଜେ ମିଳିବେ ଏଇ ସଂସାରେ ।୧।
କହିବନି କେବେ ଭଲ ପାଇବାର
ଆବେଗ ରହିଛି ତୁମ ଭିତରେ ,
ନବୁଝି ମହତ୍ତ୍ଵ କରିବେ କ୍ଷତାକ୍ତ
ଶରାଘାତ କରି ହୃଦ ମଧ୍ୟରେ ।୨।
କହିବନି କେବେ ସ୍ନେହୀ ହୃଦୟଟେ
ଲୁଚିକି ରହିଛି ତୁମ ଭିତରେ ,
ବିଶ୍ୱାସ ବଦଳେ କଣ୍ଟା ଆଘାତରେ
ଭିଜାଇବେ ହୃଦ ଆଖି ଲୁହରେ ।୩ ।
କହିବନି କେବେ ହୃଦୟର ବ୍ୟଥା
ହୋଇଥାନ୍ତୁ ପଛେ ନିଜର ଯେତେ,
ଶ୍ରଦ୍ଧାହୀନ ବ୍ୟକ୍ତି ସମୟ ପଡ଼ିଲେ
ସୁଧ ସହ ଫେରେଇବେଟି ସେତେ ।୪।
କହିବନି କେବେ କାହାରି ଆଗରେ
ଶାନ୍ତିରେ ରହିଛ ବୋଲି ଜୀବନେ ,
ଜ୍ଵଳନ ଈର୍ଷାର ତତଲା ନିଆଁରେ
ପୋଡ଼ି ମାରିଦେବେ ବିଟପୀ ମାନେ।୫।
