କହ ଜଗା କହ ତୁହି ମଉନ କିମ୍ପାଇଁ ?
କହ ଜଗା କହ ତୁହି ମଉନ କିମ୍ପାଇଁ ?
ଅନ୍ତର୍ଯ୍ୟାମୀ ବୋଲି ତତେ ଜାଣଇ ଜଗତ,
ତୋ' ଡୋରି ଲାଗିଲେ ଥରେ ଅଥୟ ଭକତ;
ତା' ଦାରୁଣ ଦୁଃଖେ ତୋର ତିଳେ ଦେଖା ନାହିଁ,
କହ ଜଗା କହ ତୁହି ମଉନ କିମ୍ପାଇଁ?
ତୋ' ଯାତରା ଚାଲେ ଏଠି ବରଷ ବରଷ,
ଭକତର ମେଳେ ତୋର ବଦନ ହରଷ;
ତା' କରୁଣ ଯାତ ତୋର ଚକ୍ଷୁ ନ ଦେଖଇ
କହ ଜଗା କହ ତୁହି ମଉନ କିମ୍ପାଇଁ?
ଭ୍ରମଣେ ଯାଉ ଗୋ ତୁହି ତୋର ବଡ଼ ରଥେ,
ତା' ପାଇଁ ପୟର ତାର ସାହା ଚଲା ପଥେ;
କେତେ ସେ ଚାଲିବ ସତେ ପଥ ସରେ ନାହିଁ,
କହ ଜଗା କହ ତୁହି ମଉନ କିମ୍ପାଇଁ?
ଷାଠିଏ ପଉଟି ତୋର, ତୁ ସିନା ମାଲିକ,
ଆହାର ପାଇବ କାହୁଁ ଅଧମ ପଥିକ;
ଜୀବନ ପ୍ରଦୀପ ତାର ବିପନେ ଲିଭଇ,
କହ ଜଗା କହ ତୁହି ମଉନ କିମ୍ପାଇଁ?
ତୋ' ଚରଣ ଧୌତ ପାଇଁ ସିନା ନୀଳ ସିନ୍ଧୁ,
ପାନ କରିବାକୁ ପାଶେ କୋଟି ଜଳ ବିନ୍ଦୁ;
ପ୍ରଚଣ୍ଡ ରୌଦ୍ରତାପେ ସେ ଜଳ ନ ପାଆଇ,
କହ ଜଗା କହ ତୁହି ମଉନ କିମ୍ପାଇଁ?
ଶୀତଳ ସମୀର ତୋର ଶ୍ରୀଅଙ୍ଗେ ବାଜଇ,
ସେ ସମୀରେ ଚିତ୍ତ ତୋର ଆନନ୍ଦେ ନାଚଇ;
ତା' ଚରଣ ଯାଏ ଜଳି ରୌଦ୍ରତାପ ପାଇ,
କହ ଜଗା କହ ତୁହି ମଉନ କିମ୍ପାଇଁ?
ଖରା, ବରଷା କି ହିମେ ନଥାଏ ତୋ ଡର,
ତୋ ମଥା ଉପରେ ବିଜେ ତୋର ଶ୍ରୀମନ୍ଦିର;
ମୁକ୍ତାକାଶ ତଳେ ତାର ଜୀବନ ବିତଇ,
କହ ଜଗା କହ ତୁହି ମଉନ କିମ୍ପାଇଁ?
ଭାବର ଠାକୁର ତୁହି ଭାବ ବିନୋଦିଆ,
ନିଧନ ଭକତ ଦୁଃଖ ଜାଣୁ ନାହୁଁ କିଆଁ;
କି ଲୀଳା ଲଗାଉ ତୁହି ସହି ହୁଏ ନାହିଁ,
କହ ଜଗା କହ ତୁହି ମଉନ କିମ୍ପାଇଁ?
ଭକ୍ତ ସାଲବେଗ ଡାକ ଶୁଣିଥିଲୁ ମନେ,
ଦାସିଆ ନଡ଼ିଆ ନେଇ ନାଆଁ କଲୁ ଦିନେ;
ବିପଦ କାଳେ ଆଜି ତୋ ଏତେ କୋପ କାହିଁ,
କହ ଜଗା କହ ତୁହି ମଉନ କିମ୍ପାଇଁ?
ନୟନ ପଲକ ମୁକ୍ତ ଥାଇ କିମ୍ପା ଯଶ,
ଭକତ ଯାତନା ଯହିଁ ନ ହୁଅଇ ଦୃଶ୍ୟ;
ପାଷାଣ ହେଲୁ କି ଆଉ ତାଲାବନ୍ଦୀ ହୋଇ,
କହ ଜଗା କହ ତୁହି ମଉନ କିମ୍ପାଇଁ?