କବିତା
କବିତା
କବିତା ଗୋ ତୁମେ,,,,,,,
ଆତ୍ମାର ଆହ୍ୱାନ
ହୃଦୟ ସ୍ପନ୍ଦନ
କଳ୍ପନାର ପ୍ରତିଲିପି
ମୋ ପ୍ରାଣ ବଲ୍ଲରୀ
ଭାବନା ମଞ୍ଜରୀ
ମଧୁଝରା ଶିଳାଲିପି l
ଭାବ ଉନ୍ମାଦିନୀ
ଶବ୍ଦ ସଂଯୋଜିନୀ
ହୃଦୟ ଗଗନ ଶୋଭା,
ଦୀପ୍ତି ମୟ ତୁମେ
ମନ ସିନ୍ଧୁ ତୀରେ
ଶତ ପ୍ରଭାକର ଆଭା l
ଉଆଁସୀ ରାତି ର
ପୁନେଇଁ ଜହ୍ନ ଗୋ
ମଧୁଲଗ୍ନା ମଧୁ ଜ୍ୟୋତ୍ସ୍ନା,
ନୀଳ ଆକାଶରେ
ଇନ୍ଦ୍ରଧନୁ ରଙ୍ଗେ
ପ୍ରୀତି ଝରା ମୃଗତୃଷ୍ଣା l
ହୃଦ ସରୋବରେ
କୁମୁଦିନୀ ସାଜି
ତରଙ୍ଗରେ ଢଳ ଢଳ
ଉପମାଳାଙ୍କରେ
ସୁସଜ୍ଜିତ ସଦା
ପ୍ରଣୟ ରସ କଲ୍ଲୋଳ l
ଦଗ୍ଧ ହୃଦୟର
ହରି ଚନ୍ଦନ ଗୋ
ସୁବାସିତ ସୁଶୀତଳ
ବ୍ୟଥା ବେଦନାର
ମାନସ ମନ୍ଥନେ
ପୂର୍ଣ୍ଣତୋୟା ଗଙ୍ଗାଜଳ l
