କବିତା ପଦୁଟେ ତୁମ ପାଇଁ
କବିତା ପଦୁଟେ ତୁମ ପାଇଁ


କବିର କବିତା କିଏବା ପଢୁଛି
ଆଜିକାଲି ଯୁଗେ କିଏ ସେ କୁହ ,
ଅମେ ହିଁ ଲେଖୁଛେ ଆମେ ହିଁ ପଢ଼ୁଛେ
ଆମ ଛଡ଼ା ନାହିଁ କାହାରି ମୋହ।
ରେଡ଼ିଓ ଆସିଲା ଦୂର କରିନେଲା
ବହିର ଆଦର ଲୋକଙ୍କ ଠାରୁ ,
ଅବଶିଷ୍ଟ ସବୁ ଟିଭି ସାରିଦେଲା
ପଢ଼ିବାର ଇଚ୍ଛା ମନ ଭିତରୁ ।
ତଥାପି ଲୋକଙ୍କ ଭିତରେ ତ' ଥିଲା
ପଢ଼ିବାର ଯେଉଁ ଟିକକ ଆଶା ,
ସତ୍ୟାନାଶ କଲା କମ୍ପୁଟର ଆଉ
ମୋବାଇଲ୍ ପ୍ରତି ବର୍ଦ୍ଧିତ ନିଶା ।
ପ୍ରିୟ ବନ୍ଧୁଗଣ ପାଠକ , ପାଠିକା
କବି ମନ ପରା ଭାରି ଆଶାୟୀ ,
ତୁମରି ପ୍ରେରଣା ନିନ୍ଦା ପ୍ରଶଂସାରେ
p>
ତୁମ ଆଶିଷରେ ହୁଏ ବିଜୟୀ ।
ତୁମେ ଯଦି ସାଥି ହାତ ଛାଡ଼ି କୁହ
ପଢିବା ପାଇଁ ଅବା ବେଳ କାହିଁ ,
ଥରୁଟିଏ ବନ୍ଧୁ ଭାବିକି କହିବ
ଲେଖାରେ କ'ଣ କିଛି ଶିକ୍ଷା ନାହିଁ ?
ସମସ୍ୟା ବହୁଳ ଜୀବନ ସଂଗ୍ରାମେ
ଲେଖନୀର ଲେଖାହିଁ କାଳଜୟୀ ,
ତୁମେ ନ'ପଢ଼ିଲେ ଅବିଳମ୍ବେ ନିଶ୍ଚେ
ସୃଜନୀ ହେବ ପୂର୍ଣ୍ଣ ଧରାଶାୟୀ ।
କବି, ପ୍ରାବନ୍ଧିକ ଲେଖିକା, ଲେଖକ
ସର୍ଜନା କରନ୍ତି ତ' ତୁମ ପାଇଁ ,
ଏଣୁ ଅନୁରୋଧ ହେ' ପ୍ରିୟ ପାଠକ
କୁହନା ପଢିବାକୁ ବେଳ ନାହିଁ ।