କଅଁଳ କଳି
କଅଁଳ କଳି
କଅଁଳ କଳି ସେ କଅଁଳ କଳି
ଜୀବନକୁ ତାର ଦିଅନି ଜାଳି
କଅଁଳ ବୟସେ ବାହା ଦେଇ ତାକୁ
ସପନକୁ ସବୁତା ଦିଅନି ଦଳି
କଅଁଳ କଳି ।
ଅଠର ଆଗରୁ ବାହା ହୋଇଗଲେ
କଠୋର ହୋଇବ ଜୀବନ ରାହା
ନିଠୁର ହୋଇବ ବିଧାତା ତା ପାଇଁ
ଅଳପ ବୟସେ ହୋଇଲେ ମାଆ
ସଳିତା ପରିକା ଜଳୁଥିବ ଝିଅ
ନିଇତି ତତଲା ଲୁହ ସେ ଢାଳି
କଅଁଳ କଳି ।
ସରି ନଥିବ ତା ନିଜ ଦେହ ଗଢା
କେମିତି ଗଢିବ ଜଠରେ ପିଲା
ନିଜେ ବଢିବନି ପିଲା ବଢିବନି
ଭାରି ହୋଇଯିବ ଦୁହିଙ୍କ ପଲା
ଦେହ ହେବ ତାର ବେମାରୀ ଙ୍କ ଘର
ଅକାଳରେ ଯିବ ଜୀବନ ଚାଲି
କଅଁଳ କଳି ।
ଅଳପ ବୟସେ ମାଆ ହେଲେ ସିଏ
ନେଇ ପାରିବନି କାହା ଯତନ
ଧୋଇଯିବ ତାର ବୟସର ରଙ୍ଗ
ଉଜୁଡି ଯିବ ତା ସବୁ ସପନ
ଡେଣା କୁ ତାହାର କାଟି ଦିଅ ନାହିଁ
ମନ ଝରକା କୁ ଦିଅ ତା ଖୋଲି
କଅଁଳ କଳି ।
