କାରୁଣ୍ୟ ରୂପକଳ୍ପ
କାରୁଣ୍ୟ ରୂପକଳ୍ପ
ଶିଶୁର ପ୍ରଥମ କାନ୍ଦ
ଭାଷାହୀନ ହୃଦୟର ଭାଷା
କହିଯାଏ ଜୀବନର ସତ୍ୟ
କାନ୍ଦରୁ ଆରମ୍ଭ ହୁଏ ଯାତ୍ରା
କାନ୍ଦରେ ବି ହୁଏ ଶେଷ।
ଆଖିରୁ ନିରୀହ ଲୁହ ଗଡାଇ
ଶିଶୁଟି ମାଗେ ସାନ୍ତ୍ୱନା, ଯତ୍ନ।
ଏ ପୃଥିବୀ କେତେ ନିରାପଦ,
ସହଜ ଓ ପ୍ରତ୍ୟାଶିତ ବୁଝେ।
ମାତୃଗର୍ଭର ସୁରକ୍ଷା, ସ୍ୱର୍ଗୀୟ
ସମ୍ପର୍କରୁ ବିଚ୍ଛିନ୍ନ ହେବା ହେତୁ
କିଛି ଦିନ ଝୁରି ହୋଇ କାନ୍ଦେ।
କେହି କେହି କାରଣ ନଥାଇ
କାନ୍ଦନ୍ତି, କେହି ଅସୁସ୍ଥତା ଲାଗି।
ହୃଦୟର ଦ୍ୱାର ଖୋଲିକି ଦେଖ
କେମିତି ଦିଶେ କାରୁଣ୍ୟ ସାଗର !!
ଜୀବନ ବେଳା ଭୂଇଁ ଛୁଇଁ ଖେଳୁ
ଥାଏ କରୁଣା ଓ ଦୟାର ତରଙ୍ଗ ।
ଓଲଟ ବୃକ୍ଷରେ ଖେଳୁଥିବା ଶୁଆ
"କାରୁଣ୍ୟ ସିନ୍ଧୁ.." ସ୍ତୁତି ପଢୁଥାଏ।
ମଣିଷର ଚେତନ ଦୃଷ୍ଟି ନା ଦେଖିପାରେ ,
ନା ବୁଝିପାରେ ଶିଶୁର କାନ୍ଦରେ
ଥାଏ କେତେ କରୁଣା, ଦରଦର
ଛବି ଓ ସୃଷ୍ଟିର ପ୍ରଥମ ସନ୍ଦେଶ।
ମରଣ ଆଖିର ଶେଷ ଲୁହରେ
ମିଶିଥାଏ କେତେ ଯେ କାରୁଣ୍ୟ,
ଯା'ର ଗଭୀରତା ମାପି ହୁଏନି !!
ହୃଦୟକୁ ମିଳେନା କିଛି ସାନ୍ତ୍ୱନା।
ଆତ୍ମୀୟଙ୍କୁ ହରାଇ ବିଷାଦମଗ୍ନ
ହୁଏ ପ୍ରାଣ। ଧୈର୍ଯ୍ୟର ବନ୍ଧ ଭାଙ୍ଗି
ଗଲେ କାନ୍ଦରେ ବଦଳି ଯାଏ।
ଯେତେ ଲୁଚାଇଲେ ବି ଲୁଚେନା
କାନ୍ଦୁରା ମୁହଁର ଅସହାୟ ଭାଷା ।
ହୃଦୟର ଭାଷା 'ଦୟା ଓ କରୁଣା'
ଜୀବନ ଉତ୍ସକୁ ସଶକ୍ତ କରୁଥାଏ ।
ସଂସାର ତ୍ୟାଗୀ ଯୋଗୀ ଆଖିରେ
ବି ଲୁଚିଥାଏ କାନ୍ଦର ଗହନ ରୂପ।
ଅସହାୟତା, ହତାଶା, ଏକାକୀତ୍ୱ
ମନକୁ ଅଶାନ୍ତ କରେ, କନ୍ଦାଏ ବି ।
ଯେବେ ହୃଦୟ ଭାଷାହୀନ ହୁଏ
ଦୟାର୍ଦ୍ର ଆତ୍ମାକୁ ଅଧିକ ବାଧେ।
କେହି ଭୋକ ପାଇଁକା କାନ୍ଦେ ତ
କେହି ବାଜି ହାରି ଯାଇ କାନ୍ଦେ।
ପାଣି ପାଇଁ କାନ୍ଦେ ପ୍ରକୃତି, ଝାଉଁଳା
ଗଛବୃଚ୍ଛ। କେହି ବିନା କାରଣେ
କାନ୍ଦନ୍ତି। ସଂସାର ଦୁଃଖ ସହି ନ
ପାରି ପର ଲାଗି ବି ଲୁହ ଝରାନ୍ତି ।
କେହି ନାଟ୍ୟମଞ୍ଚ, ସିନେମା, ଟିଭି,
ଦୃଶ୍ୟାଭିନୟରେ ବିହ୍ୱଳ ହୋଇ
କାନ୍ଦି ପକାନ୍ତି ମୁହଁକୁ ଲୁଚାଇ।
କାନ୍ଧରେ ଥାଏ ଭିନ୍ନତା। କିଏ ବସ୍ତୁ
ପାଇଁ କାନ୍ଦେ ତ କିଏ ସାଥୀ ଲାଗି।
ସନ୍ତାନ ଲାଗି କାନ୍ଦେ ମା'ର ହୃଦୟ।
ରୋଗ, ଜୀବନଯନ୍ତ୍ରଣା ବି କନ୍ଦାଏ।
ସରେନି କାନ୍ଦର ଯାତ୍ରା, ଜନ୍ମରୁ
ମୃତ୍ୟୁ ଯାଏ ସାଥୀ ହୋଇଥାଏ।
ଆତ୍ମାକୁ ଶୋଧିତ କରି ପବିତ୍ରତା,
ପୂଣ୍ୟ, ଶୁଦ୍ଧ ଚେତନା ଭରିଦିଏ।
"କାରୁଣ୍ୟ ସିନ୍ଧୁ" ଜଳେ ଗାଧୋଇ
ପଡିଲେ ହୃଦୟ ଦ୍ୱାର ଫିଟିଯାଏ।
ଦିଶିଯାଏ ସତ୍ୟ ଓ ଶାନ୍ତିର ମାର୍ଗ।
ସିନ୍ଧୁ ଜଳରେ ଭାସି କେହି ଯୋଗୀ
ସୂକ୍ଷ୍ମ ବେଶରେ 'କାମନା ବିନାଶେ
ଦୁଃଖର ବିନାଶ' ମନ୍ତ୍ର ପଢୁଥାଏ।
କେହି ବି ଦେଖି ପାରନ୍ତିନି ଏମିତି
ଅନେକ ଦୁଃଖି ହୃଦୟର ଆତୁର
କାନ୍ଦ, ଶୂନ୍ୟରେ ମିଳାଇ ଯାଉଥାଏ।
କେବେ କେବେ ଲୁହଭିଜା ଶୀତଳ
ପବନ ଆତ୍ମାକୁ ଆଶ୍ୱସ୍ତ କରୁଥାଏ !!
କାନ୍ଦ ହିଁ ଏକା ସତ୍ୟ ଓ ବାସ୍ତବ
ଅନୁଭବର ଏକ ନିଚ୍ଛକ ପ୍ରତୀକ।
ଡାହାଣ ଆଖିର ଲୁହ ଖୁସି, ବାମ
ଆଖିର ଲୁହ ବିଷାଦର ସଙ୍କେତ
ଦେଇ 'କାରୁଣ୍ୟ'ର ରୂପକଳ୍ପ
ଦରଦୀ ହୃଦୟରେ ଛବି ଆଙ୍କୁଥାଏ।
*******