କାନ୍ଦୁଛି ଜନ୍ମଭୂମି
କାନ୍ଦୁଛି ଜନ୍ମଭୂମି
ବାଃ କି ସୁନ୍ଦର ଏହି ମୋ ଦେଶ
ଏଠି ରାକ୍ଷସ ବି ସାଜେ ମହାପୁରୁଷ
ଘୃଣ୍ୟ ଲାଗେ ନିଜ ମଣିଷପଣ
ଧିକ ଆମ ସ୍ୱାଧୀନତା ଜୀବନ
ନାରୀ ସର୍ବଶ୍ରେଷ୍ଠ ଗାନ ବୃଥା ଖାଲି
ବାସ୍ତବରେ ତାକୁ ପଚାରେ କିଏ
ଚିତ୍କାର କରେ ସେ ନ୍ୟାୟ ଟିକେ ପାଇଁ
ବଧିର ତା ଡାକ ଶୁଣୁଛି କିଏ
ଗୋଡ଼ ହାତ ବାନ୍ଧି ମନ ଇଚ୍ଛା ଲୁଟି
ଦେହର ସଉକ ପୂରଣ କରି
ସତ୍ୟରେ ପରଦା ଢାଙ୍କିବାକୁ ଯାଇ
ଜିଅନ୍ତା ଜାଳିଲ ରାକ୍ଷସ ପରି
କଣ ଭୁଲ୍ ଥିଲା ତାର ନାରୀ ଜନ୍ମ ପାଇ
ନା ତମ ପରି ପାପି ଜନମ ଦେଇ
ଯାହା କୋଳେ ରହି ଦୁନିଆ ଦେଖିଛ
ସେ ଜାତି କୁ ଆଜି ଦେଲ ଜଳେଇ
କିଛି ଲାଭ ନାହିଁ ଏ ସ୍ୱାଧୀନ ଦେଶର
ଯଦି ସୁରକ୍ଷିତ ନାହିଁ ଦେଶରେ ମାଆ
ଖାଲି ଦସ୍ତାବିଜ ଧରି ଯୋଜନା ଲେଖିଲେ
ଫଳପ୍ରଦ କିବା ହେଇପାରିବ ତାହା
ଯେତେ ଶାସ୍ତି ଯେତେ ଦଣ୍ଡ ମିଳିଲେବି
ବୁଝିବନି ତାର କୋହ
ଥରେ ପଚାରି ବୁଝ ସେ ବୁଢ଼ା ବାପା ପାଇଁ
କେତେ ଅମୁଲ୍ୟ ଥିଲା ତା ଝିଅ
କାହିଁକି ଚାଲିଛି ଏ ଘୃଣ୍ୟ କର୍ମ ଏଠି
ବାରମ୍ବାର ଦୋହରାଇ
କେମିତି ସାହସ ପାଉଛି ସେ ପାପି
ଗୋଟେ ଜୀବନ ମାରିବା ପାଇଁ
ଆଜି କାନ୍ଦୁଛି ଜନନୀ ଜନ୍ମଭୂମି ପୁଣି
କ୍ଷତାକ୍ତରେ ଭରା ତାର ଶରୀର
ଲହୁ ଲୁହ ଭିଜା ମାଟି ଆଜି କହେ
ପୁଣି ଲିଭିଗଲା ଗୋଟେ ଦୀପ କାହାର
ନିଜେ ଭାଳି ହୁଏ କାହିଁକି ଆଣିଲି
ଏ ରାକ୍ଷସ ମାନଙ୍କୁ ଧରା ପୃଷ୍ଟକୁ
ଯେଉଁଠୁ ଆସିଲେ ତାକୁ ହିଁ ଦଂଶିଲେ
ହାଏରେ ଧିକ ତୋ ପୁରୁଷତ୍ବକୁ
କେମିତି ଶାନ୍ତିରେ ମାଆ ଶୋଇବ
କେମିତି ନିର୍ଦ୍ୱନ୍ଦେ ଭଗ୍ନୀ ରହିବ
କେମିତି ରାସ୍ତାରେ ଚାଲିବ କନ୍ୟା
କେମିତି ସ୍ବଧୀନେ ନାରୀ ବଞ୍ଚିବ
ନିଜେ ଆଜି ମଣେ ଅସୁରକ୍ଷିତ ସେ
ଜିଇଁବା ତା ପାଇଁ ଯୁଦ୍ଧ ସାଜିଛି
ଧର ହସ୍ତେ କେହି ସୁଦର୍ଶନ ଥରେ
ଆଜି ଲକ୍ଷେ ଦ୍ରୌପଦୀଙ୍କ ବାଜି ଲାଗୁଛି ।
